ଶୁକ୍ରବାର ସନ୍ଧ୍ୟାରେ ରାଜଭବନ ପହଞ୍ଚି ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଇସ୍ତଫା ଦେବା ସହ ନୂତନ ସରକାର ଗଠନ ନେଇ ଆରଂଭ ହୋଇଯାଇଛି ପ୍ରସ୍ତୁତି ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ବୈଠକ ଡକାଇଥିଲେ। ଏଥିରେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, କ୍ୟାବିନେଟ୍ ମନ୍ତ୍ରୀ ବୃଜେଶ ପାଠକ, ମନ୍ତ୍ରୀ ଲାଲଜୀ ଟଣ୍ଡନ ଏବଂ ମନ୍ତ୍ରୀ ଅନିଲ୍ ରାଜଭର ଉପସ୍ଥିତ ଥିଲେ। ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।
ପ୍ରଥମେ ଯୋଗୀ ରାଜଭବନରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିରେ ପୁଷ୍ପ ଅର୍ପଣ କରିବା ପରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି। ବିଜେପି କ୍ରମାଗତ ଦ୍ଵିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି।
ଏଥର ନିର୍ବାଚନରେ ବିଜେପି ୨୫୫ ସିଟରେ ବିଜୟ ହାସଲ କରିଥିବା ବେଳେ ମେଣ୍ଟ ସହଯୋଗୀ ଅପନା ଦଳ ୧୨ ଏବଂ ନିଷାଦ ପାର୍ଟି ଛଅଟି ସିଟରେ ବିଜୟୀ ହୋଇଛନ୍ତି। ଏହାକୁ ମିଶାଇ ବିଜେପି ମେଣ୍ଟ ୨୭୩ ସିଟରେ ବିଜୟ ହାସଲ କରିଛନ୍ତି ।
