ଚିଲିକା ବିଧାୟକଙ୍କ ଗାଡି ମଡାଇବା ଘଟଣା: ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସାଧାରଣ ଲୋକଙ୍କ ଉପରକୁ ଗାଡି ମଡାଇବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି | ଏନେଇ ଆଜି ବିଜେପି ପକ୍ଷରୁ ପ୍ରତିବାଦ କରାଯାଉଛି । ଚିଲିକା ବିଧାୟକଙ୍କ ବର୍ବର କାଣ୍ଡର ପ୍ରତିବାଦରେ ଆଜି ସମସ୍ତ ସହରାଂଚଳରେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏଡ଼ିଏମଙ୍କ ଅଫିସ ଆଗରେ ପ୍ରତିବାଦ କରାଯିବା ସହ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ ଖୋର୍ଦ୍ଧା ରଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ଼ ଉପରେ ଗାଡି ଚଢ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୧୫ ବିଜେପି କର୍ମୀ ଓ ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ଏଫଆଇଆର ରୁଜୁ କରି ବିଧାୟଙ୍କୁ ନିଜ କବଜାକୁ ନେଇଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ- ଏହା ସ୍ଲୋଗାନ ବଦଳରେ ପ୍ରତିବଦ୍ଧତା ହେବା ଜରୁରୀ । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିବା ଚିନ୍ତା ଓ ପରିତାପର ବିଷୟ ବୋଲି ସେ କହିଥିଲେ |

Related Posts