ଆଜିଠୁ ସଂସଦରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଆରମ୍ଭରୁ ଗୃହରେ ରୋଚକ ଦୃଶ୍ୟ : ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ | କୋଭିଡ କଟକଣା ମଧ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ପରେ ଆଜି ଦ୍ବିତୀୟ ପାଳି । ଏହି ପରିପ୍ରେକ୍ଷୀରେ ଗୃହରେ ଏକ ସୁସ୍ଥ ଓ ଫଳପ୍ରଦ ଆଲୋଚନା ନେଇ ଆଶାବାଦୀ ହୋଇଛନ୍ତି ଲୋକସଭା ବାଚସ୍ପତ୍ତି ଓମ ବିର୍ଲା ।

ସେପଟେ ଗୃହ ଆରମ୍ଭରୁ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ | ୪ ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପିର ଅପୂର୍ବ ସଫଳତାକୁ ନେଇ କଂପିଉଠିଥିଲା ଗୃହ | ମୋଦି ମୋଦି ନାରାରେ ଫାଟିପଡୁଥିଲା ଗୃହ | ଦଳ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ମୋଦୀଙ୍କୁ ଏହି ବିଜୟର ଶ୍ରେୟ ଦିଆଯାଉଛି ।

ଆଜି ମୋଦୀ ସଂସଦ ଭିତରକୁ ପ୍ରବେଶ କଲେ ପୂରା ଗୃହ ମୋଦୀମୟ ହୋଇ ଉଠିଥିଲା । ଗୃହ ଭିତରେ ଉପସ୍ଥିତ ସାଂସଦ ମୋଦୀ ମୋଦୀ ନାରା ଦେଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ମୁହୂର୍ତରେ ଖୁସି ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ବିଜୟ ହାସଲ କରିଛି । ୟୁପି, ଉତ୍ତରାଖଣ୍ଡ ଓ ଗୋଆରେ ବିଜେପି ପୁଣିଥରେ କ୍ଷମତାକୁ ଫେରିଥିବା ବେଳେ ମଣିପୁର ଆସନ ମଧ୍ୟ ବିଜେପି ହାତକୁ ଯାଇଛି । ଦଳର ଏହି ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଛି ।

ଅନ୍ୟପଟେ ଦ୍ବିତୀୟ ପାଳି ବଜେଟ ଅଧିବେଶନରେ ଜମ୍ମୁ କାଶ୍ମୀରର ବଜେଟର କପି ସଂସଦକୁ ଆସି ସାରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଜମ୍ମୁକାଶ୍ମୀର ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏହା ବ୍ୟତୀତ ସରକାର ସମ୍ବିଧାନ (ଅନୁସୂଚିତ ଜନଜାତି) ନିର୍ଦ୍ଦେଶାବଳୀ (ସଂଶୋଧନ) ବିଲ୍ ଲୋକସଭାରେ ଗୃହୀତ କରାଇବା ପାଇଁ ତାଲିକାଭୁକ୍ତ କରିଛନ୍ତି ।

Related Posts