ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦର ଛାଡ଼ିଲା ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ ୫

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପ୍ରାୟ ୧ ସପ୍ତାହ ଧରି ରହିବା ପରେ ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ ୫ ସୋମବାରଦିନ ବିଦାୟ ନେଇ ଅନ୍ତର୍ଜାତୀୟ ଜଳସୀମାକୁ ଚାଲିଯାଇଛି । ଭାରତର ଚିନ୍ତା ବଢ଼ାଇଥିବ ଏହି ଜାହାଜ ଗତ ୧୬ ତାରିଖରେ ହାମ୍ବନଟୋଟା ବନ୍ଦରରେ ପ୍ରବେଶ କରିଥିଲା ଓ ୬ ଦିନ ରହିବା ପରେ ସୋମାବରଦିନ ବନ୍ଦର ଛାଡ଼ିଛି ।କେବଳ ଭାରତ ନୁହେଁ, ଶ୍ରୀଲଙ୍କା ପାଇଁ ମଧ୍ୟ ଏହା ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଥିଲା । ଗୋଟିଏ ପଟେ ଭାରତର ଚାପ ପଡ଼ୁଥିବାବେଳେ ଅନ୍ୟପଟେ ହାମ୍ବନଟୋଟା ବନ୍ଦର ଚୀନ କବଜାରେ ଥିବାରୁ ଶ୍ରୀଲଙ୍କା ସରକାର କିଛି କରିବା ସ୍ଥିତିରେ ନଥିଲେ ।

ଏହି ଜାହାଜକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଥିଲା । ଭାରତ ପକ୍ଷରୁ ଦାବି କରାଯାଉଛି ଯେ ଏହା କେବଳ ଏକ ଗବେଷଣା ଜାହାଜ ନୁହେଁ, ବରଂ ଏକ ମିଲିଟାରୀ ଗୁପ୍ତଚର ଜାହାଜ । ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖୁଥିଲା ବୋଲି ଭାରତ ସଂଦେହ କରୁଥିଲା । ଦକ୍ଷିଣ ଭାରତରେ ଥିବା ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଚୀନ ନିଜର ଗୁପ୍ତଚର ଜାହାଜ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିଲା । ପୁଣି ଏଥିରେ ଲାଗିଥିବା ଅତ୍ୟାଧୁନିକ ମିସାଇଲ ଟ୍ରାକିଂ ସିଷ୍ଟମ ଭାରତର ବାଲିଷ୍ଟିକ ମିସାଇଲ ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବାର ଆଶଙ୍କା ଦେଖାଯାଇଥିଲା ।

Related Posts