
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲୋକ ଜନଶକ୍ତି ପାର୍ଟି (ଏଲଜେପି) ର ପ୍ରକୃତ ଉତ୍ତରାଧିକାରୀ କିଏ ତାକୁ ନେଇ ଏବେ ସ୍ବର୍ଗତ ରାମ ବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ ଏବଂ ପାଶୁପତି ପରାସଙ୍କ ମଧ୍ୟରେ କନ୍ଦଳ ଲାଗି ରହିଛି। ଏହା ମଧ୍ୟରେ ଆଜି ଚିରାଗ ପାସୱାନ ଦିଲ୍ଲୀ ସ୍ଥିତ ବାସଭବନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଜି ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରି ଚିରାଗ କହିଛନ୍ତି ଯେ ପାରସଙ୍କ ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ସେ କହିଛନ୍ତି ଯେ ଅଧିକାଂଶ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ତାଙ୍କ ସହ ଅଛନ୍ତି ଏବଂ ସେ ଦଳର ରାଷ୍ଟ୍ରୀୟ ସଭାପତି ତଥା ସଂସଦୀୟ ବୋର୍ଡର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି। ବୈଠକ ପରେ ଚିରାଗ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, “ ମୋ ବାପା ଓ କାକା ବର୍ତ୍ତମାନ ଆଉ ମୋ ସହିତ ନାହାନ୍ତି। ତେଣୁ ଆମେ ମୋ ବାପା (ରାମ ବିଳାସ ପାଶୱାନ)ଙ୍କ ଜନ୍ମ ଦିବସ ଅବସରରେ ଜୁଲାଇ ୫ ରୁ ହାଜିପୁରରୁ ‘ଆଶୀର୍ବାଦ ଯାତ୍ରା’ ବାହାର କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଯାତ୍ରା ବିହାରର ସମସ୍ତ ଜିଲ୍ଲା ଦେଇ ଯିବ। ଆମକୁ ଲୋକଙ୍କଠାରୁ ଅଧିକ ସ୍ନେହ ଏବଂ ଆଶୀର୍ବାଦ ଦରକାର।” ଏହା ବ୍ୟତୀତ ବୈଠକରେ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭରତ ରତ୍ନ ଦାବି କରିବେ। ସୂଚନାଯୋଗ୍ୟ ଶନିବାର ରାତିରେ ଚିରାଗ ପାସୱାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଥିଲେ। ଚିରାଗ କହିଛନ୍ତି ଯେ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସମସ୍ତ ତଥ୍ୟ ସହ ଅବଗତ କରାଇଛନ୍ତି ଏବଂ ଏଲଜେପିର ନିଲମ୍ବିତ ସାଂସଦଙ୍କ ମଧ୍ୟରୁ ଜଣେ ପଶୁପତି କୁମାର ପାରସଙ୍କୁ ଲୋକସଭାରେ ଏଲଜେପି ସଭାପତି ଭାବରେ ଗ୍ରହଣ କରିବା ନିଷ୍ପତ୍ତି ଉପରେ ବିଚାର କରିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଏହା ବେଆଇନ ଏବଂ ତାଙ୍କ ଦଳର ସମ୍ବିଧାନ ଏହାକୁ ଅନୁମତି ଦିଏ ନାହିଁ।