
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି । ଏହା ମଧ୍ୟରେ ଗୁଣ୍ଡିଚା, ବାହୁଡା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହୋଇସାରିଛି । ତେବେ ସ୍ନାନ ଯାତ୍ରା ପାଇଁ ରାତି ୧ଟାରୁ ମଙ୍ଗଳାର୍ପଣ ଏବଂ ୪ ଟା ପର୍ଯ୍ୟନ୍ତ ପହଣ୍ଡି ହେବ । ମଙ୍ଗଳ ଆଳତୀ ଭୋର ୪ଟା ୩୦ରେ ହେବ । ସ୍ନାନ ପୂର୍ଣ୍ଣିମା ଦିନ ହାତୀ ବେଶ ଦିନ ୧୧ଟାରୁ ୧୨ ଭିତରେ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବଂ ସ୍ନାନ ପୂର୍ଣ୍ଣିମାରେ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି ହେବ। ସେହିପରି ଜୁଲାଇ ୧୨ ତାରିଖରେ ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ହେବ । ଏହାପରେ ୮ଟା ୩୦ ରେ ପହଣ୍ଡି ଆରମ୍ଭ ହେବା ସହିତ ଅପରାହ୍ନ ୨ଟାରେ ଛେରାପହଁରା ହେବ ଏବଂ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ବାହୁଡ଼ା ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ ପହଣ୍ଡି ହେବ ଏବଂ ଅପରାହ୍ନ ୪ଟାରୁ ରଥ ଟଣା ହେବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିଇଛି। ସେହିପରି ସୁନାବେଶ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଅପରାହ୍ନ ୪ଟାରୁ ୫.୩୦ ଯାଏ ସୁନା ବେଶ ହେବ। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବ। ନୀଳାଦ୍ରିବିଜେ ପହଣ୍ଡି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୧୦ରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଚତୁପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ପାଳିଆ ସେବାୟତଙ୍କୁ ସ୍ୱତନ୍ତ୍ର ପାସ୍ ଦିଆଯିବ ଏବଂ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସେବାୟତଙ୍କୁ ନେଇ ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ।