ଦିଲ୍ଲୀ ଗାଜିପୁର ସୀମାରେ ବିଜେପି କର୍ମୀ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ : ବ୍ୟାପକ ଭଙ୍ଗାରୁଜା ଓ ଅନେକ ଆହାତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ଗାଜିପୁର ବର୍ଡରରେ ଆନ୍ଦୋଳନ କରୁଥିବା ଚାଷୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ଆଜି ସଂଘର୍ଷ ହୋଇଛି। ଘଟଣାରେ ଅନେକ ଚାଷୀ ଆହତ ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି। ମିଳିଥିବା ସୂଚନା ଅନୁସାରେ ସକାଳ ପ୍ରାୟ ୧୦ଟା ସମୟରେ ୟୁପି ବିଜେପି ସାଧାରଣ ସମ୍ପାଦକ ଅମିତ ବାଲ୍ମିକଙ୍କ ସ୍ୱାଗତଲାଗି ବିଜେପି କର୍ମୀ ଗାଜିପୁର ବର୍ଡର ଫ୍ଲାଇଓଭର ନିକଟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସମୟରେ କୃଷକମାନେ ବିଜେପି ନେତାଙ୍କ ଗସ୍ତକୁ ବିରୋଧ କରି ସେମାନଙ୍କୁ କଳା ପତାକା ଦେଖାଇବା ଆରମ୍ଭ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ବିଜେପି କର୍ମୀ କହିଛନ୍ତି “ଆମେ ଆମର ନେତାଙ୍କୁ ସ୍ୱାଗତ କରୁଥିଲୁ କିନ୍ତୁ ରାକେଶ ଟିକାୟତ ତାଙ୍କ ସାଥୀମାନଙ୍କ ସହିତ ଆସିଥିଲେ, ସେମାନଙ୍କ ହାତରେ ଲୁହା ରଡ୍ ଇତ୍ୟାଦି ମାରଣାସ୍ତ୍ର ଥିଲା । ସେମାନେ ପ୍ରାୟ 70 ରୁ 80 ଗାଡି ଭଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ” ବିଜେପିର ରଣିତା ସିଂ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କୃଷକମାନେ ଅଭିଯୋଗ କରିଛନ୍ତି ଯେ କେତେକ ବିଜେପି କର୍ମୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ, ବିଜେପି କର୍ମୀଙ୍କୁ ଚାଷୀ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଜେପି କର୍ମୀଙ୍କ ଲାଠି ଓ ବାଡି ଆକ୍ରମଣରେ କେତେକ ଚାଷୀ ଆହତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଗାଜିପୁର ସୀମାରେ ଏହି ଘଟଣା ସମ୍ପର୍କରେ ପୂର୍ବତନ ୟୁପି ସିଏମ ଏବଂ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ଟୁଇଟ୍ କରି ଘଟଣାର ନିନ୍ଦା କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, “ଆଜି ଯେଉଁଭଳି ଭାବରେ କିଛି ଲୋକ ଗାଜିପୁର ସୀମାରେ ସଙ୍ଘର୍ଷ କରି କୃଷକ ଓ ଚାଷୀ ନେତାଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରିଛନ୍ତି, ଏହି ଷଡଯନ୍ତ୍ରକୁ ବର୍ତ୍ତମାନ ଦେଶବାସୀ ବୁଝି ସାରିଛନ୍ତି। ବିଜେପିର ନିରାଶା ଏକ ଭୟଙ୍କର ରୂପ ଧାରଣ କରିଛି ବୋଲି ସେ କହିଛନ୍ତି। ” ଘଟଣାକୁ ନେଇ ଭାରତୀୟ କିଷାନ ୟୁନିୟନ (ବିକେୟୁ) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଶାସକ ବିଜେପିର ଏହା ହତାସା ପ୍ରମାଣିତ କରୁଥିବା କୃଷକ ନେତାମାନେ କହିଛନ୍ତି।

Related Posts