(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ପାଇଁ ଅନେକ ଦିନ ହେବ ସ୍କୁଲ ବନ୍ଦ ରହିଛି। ସ୍କୁଲ ବନ୍ଦ ସତ୍ତ୍ବେ ଅନେକ ସ୍କୁଲ ମୋଟା ଅଙ୍କର ଫିସ ଆଦାୟ କରୁଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟପ୍ରଦେଶର କିଛି ଅଭିଭାବକ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ। କିନ୍ତୁ ମନ୍ତ୍ରୀ ମହୋଦୟ ଅଭିଭାବକଙ୍କ ଗୁହାରି ଶୁଣି ରାଗି ଯାଇଥିଲେ। ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂହ ପରମାର ଅଭିଭାବକମାନଙ୍କୁ କହିଥିଲେ, ‘ମରନା ହେ ତୋ ମରୋ ‘ ଅର୍ଥାତ୍ ମରିବାର ଅଛି ଯଦି ଯାଅ ମରି ଯାଅ’। ତେବେ ଶିକ୍ଷାମନ୍ତ୍ରୀଙ୍କ ଏହି ବିବାଦୀୟ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ସ୍କୁଲ ଅଭିଭାବକ ସଂଘ ମଧ୍ୟ ତାଙ୍କ ଇସ୍ତଫା ଦାବି କରିଛି। କଂଗ୍ରେସ କହିଛି ଯେ ତାଙ୍କୁ କ୍ୟାବିନେଟରୁ ତୁରନ୍ତ ବରଖାସ୍ତ କରାଯାଉ। ଆସୋସିଏସନ ସଭାପତି କମଲ ବିଶ୍ୱକର୍ମା କହିଛନ୍ତି “ଆମେ 60 ଜଣ ଅଭିଭାବକ ମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିବାକୁ ଯାଇଥିଲେ। ସେଠାରେ ଆମକୁ ପ୍ରାୟ ଦେଢ ଘଣ୍ଟା ଅପେକ୍ଷା କରି ରଖାଯାଇଥିଲା, ପରେ ମନ୍ତ୍ରୀଙ୍କ ଜଣେ ଅଧିକାରୀ ଆମକୁ ଭେଟିଥିଲେ। ଆମେ ତାଙ୍କୁ ଏକ ସ୍ମାରକପତ୍ର ଦାଖଲ କରି କହିଥିଲୁ ଯେ ଆମେ ସାକ୍ଷାତ କରିବାକୁ ଚାହୁଁଛୁ । ପରେ ମନ୍ତ୍ରୀ ଘରୁ ବାହାରକୁ ଆସିଥିଲେ। ମନ୍ତ୍ରୀ ଆମ ସହ କଥା ହେବା ପରିବର୍ତ୍ତେ ସେ ସିଧା ତାଙ୍କ କାର ଆଡକୁ ଯାଇଥିଲେ। ଆମେ ତାଙ୍କୁ ଆମ ସମସ୍ଯା ସମ୍ପର୍କରେ ଜଣାଇଥିଲୁ , ଯେଉଁଥିରେ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଆମେ କେବଳ ସମସ୍ୟା ସୃଷ୍ଟି କରିବାକୁ ଚାହୁଁଛୁ ବୋଲି କହିଥିଲେ । ବିଶ୍ୱକର୍ମା ଆହୁରି ମଧ୍ୟ କହିଛନ୍ତି ଯେ , “ମୁଁ ତାଙ୍କୁ କହିଥିଲି ଯେ ମହାମାରୀ ଯୋଗୁଁ ଅଭିଭାବକମାନେ ଆର୍ଥିକ ସଙ୍କଟରେ ଅଛନ୍ତି ଏବଂ ଟ୍ୟୁସନ ଫିସଠାରୁ ଅଧିକ ଫିସ ଦେବାକୁ ସକ୍ଷମ ନୁହଁନ୍ତି, କିନ୍ତୁ ସ୍କୁଲ୍ ଗୁଡ଼ିକ ସେମାନଙ୍କୁ ଫିସ୍ ଦେବା ପାଇଁ ବାଧ୍ୟ କରୁଛନ୍ତି। ମୁଁ ତାଙ୍କୁ କହିଲି ଯେ ଯଦି ଫି ହ୍ରାସ ନହୁଏ ତେବେ ପିତାମାତା ଆନ୍ଦୋଳନ କରିବେ। ଏହା ପରେ ମନ୍ତ୍ରୀ କହିଥିଲେ ଯାଅ ଆନ୍ଦୋଳନ କର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ମୁଁ ଯେତେବେଳେ ତାଙ୍କୁ ପଚାରିଲି, ଅଭିଭାବକ ମାନେ କଣ ମରିବା ଉଚିତ କି , ସେ କହିଲେ ମରିବାର ଅଛି ଯଦି ମରିଯାଅ। ଏହି ମନ୍ତବ୍ୟ ପରେ ମନ୍ତ୍ରୀ ଏବଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ମନ୍ତ୍ରୀଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମନ୍ତ୍ରୀଙ୍କୁ କ୍ୟାବିନେଟରୁ ହଟାଇବାକୁ ରାଜ୍ୟ କଂଗ୍ରେସ ଦାବି କରିଛି।
Related Posts
-
Copyright © SatyaPatha2021