ବିଧାନସଭାରେ ବିରଞ୍ଚିକୁ କ୍ଲିନଚିଟ୍ : ଷ୍ଟାଫ୍ ସିଲେକ୍ସନ କମିଶନ ଦୁର୍ନୀତିର ଉତ୍ତର ରଖିଲେ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବହୁ ବାଦ ବିବାଦ ପରେ ବହୁ ଚର୍ଚ୍ଚିତ ଷ୍ଟାଫ୍ ସିଲେକ୍ସନ କମିଶନ କେଳେଙ୍କାରୀ ଘଟଣାର ଲିଖିତ ଉତ୍ତର ରଖିଛନ୍ତି ରାଜ୍ୟ ସରକାର। ତେବେ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ଓଏସ୍ଏସସି ଦୁର୍ନୀତିର ମାଷ୍ଟର ମାଇଣ୍ଡ କୁହାଯାଉଥିବା କମିଶନ ଅଧ୍ୟକ୍ଷଙ୍କ ପୂର୍ବତନ ବ୍ଯକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ବିଜେଡ଼ି ସରକାର କ୍ଲିନଚିଟ୍ ଦେଇଛନ୍ତି। ଆଉ ତାହା ପୁଣି ଲିଖିତ ଭାବେ। ବିଧାନସଭା ଗୃହରେ ସରକାର ସ୍ବୀକାର କରିଛନ୍ତି ଯେ, 2010 ମସିହା ଠାରୁ 2021 ଯାଏ ଓଏସ୍ଏସସି ପକ୍ଷରୁ ଚୟନ କରାଯାଇଥିବା 9559 ପଦବୀରେ କୌଣସି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହୋଇନାହିଁ। ଏବଂ ବିରଞ୍ଚି ନାରାୟଣ ସାହୁଙ୍କ ଏ ସମସ୍ତ ଚୟନ ପ୍ରକ୍ରିୟାରେ କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ସରକାର। 

 ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ଯେ ଓଏସ୍ଏସସିରେ ହେଉଥିବା ମହା ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯାଉ। କିନ୍ତୁ ସରକାର କୁନ୍ଥୁ କୁନ୍ଥୁ। ଦୁର୍ନୀତି ପ୍ରତି ଜିରୋ ଟଲରାନ୍ସ ଘୋଷଣା ପ୍ରହସନରେ ପରିଣତ ହୋଇଛି । ବିଧାନସଭାରେ ଏକ ମୁଲତବୀ ପ୍ରସ୍ତାବ ଉପରେ ଲିଖିତ ଉତ୍ତର ଗୃହରେ ଉପସ୍ଥାପନ କରାଯାଇଥିଲା ।ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତରରେ ଉଲ୍ଲେଖ କରାଯାଇଛି ଯେ, ଓଏସ୍ଏସସି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ଦୁର୍ନୀତି ବା ହେରଫେର ହୋଇ ନାହିଁ। 

କମିଶନ ପରୀକ୍ଷାର୍ଥୀ ମାନଙ୍କୁ ଆଇଡି, ପାସୱାର୍ଡ଼, ଆଡମିଟ କାର୍ଡ଼ ଇମେଲ ଜରିଆରେ ପଠାଇ ଥାଆନ୍ତି। ବିଭିନ୍ନ ପଦବୀ ନିମନ୍ତେ ସିଧାସଳଖ ନିଯୁକ୍ତି ନିମନ୍ତେ କମିଶନ OMR based କିମ୍ବା CBRE ବ୍ୟବସ୍ଥା କରୁଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ପାରଦର୍ଶୀ କରିବା ପାଇଁ 2014 ମସିହାରୁ କମିଶନ OMR sheet  ରେ ହେଉଥିବା objective type test ର ମଡେଲ ଆନ୍ସର କି କୁ ୱେବସାଇଟରେ ଅପଲୋଡ଼ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ବିଧାନସଭା ଭିତରେ ରଖାଯାଇଛି। 

କମିଶନରେ କାର୍ଯ୍ୟରତ ଓଏଏସ ଅଧିକାରୀ ମାନେ ସମସ୍ତ ଗୋପନୀୟ ପରୀକ୍ଷା କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଅଭିଯୁକ୍ତ ବିରଞ୍ଚି ନାରାୟଣ ସାହୁଙ୍କର ପରୀକ୍ଷା କାର୍ଯ୍ୟରେ କୌଣସି ଭୂମିକା ନାହିଁ ବୋଲି ସରକାର ଗୃହକୁ ସୂଚନା ଦେଇଛନ୍ତି। ସରକାର ଏହି ଲିଖିତ କ୍ଲିନଚିଟ୍ ଜରିଆରେ ଅଭିଯୁକ୍ତ ବିରଞ୍ଚି ନାରାୟଣ ସାହୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରୁ ଖସିବାରେ ସହାୟକ ହେବ ବୋଲି ଆଇନ ବିଷାରଦ ମାନେ ମତ ରଖିଛନ୍ତି ।

Related Posts