ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ପୁଣି ବିଧାନସଭା ଅଚଳ; ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିକ୍ଷକ ଆନ୍ଦୋଳନକୁ ନେଇ ପୁଣି ବିଧାନସଭା ଅଚଳ ହୋଇଛି। ଆଜି ଉଭୟ ବିରୋଧୀ ଦଳର ସଦସ୍ୟମାନେ ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ବହୁ ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ତଳେ ଧାରଣା ମଧ୍ୟ ଦେଇଥିଲେ। ତେବେ ଗୃହ କାର୍ଯ୍ୟ ଅଚଳ ହୋଇପଡ଼ିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଥିଲେ। ମାତ୍ର ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ନଥିଲା। ବୈଠକ ବିଫଳ ହେବାରୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି।

ତେବେ ବିଗତ ୪ ଦିନ ହେଲା ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ଶିକ୍ଷକମାନଙ୍କର ଆନ୍ଦୋଳନ ଜାରି ରହିଛି। ରାଜ୍ୟର ଲକ୍ଷାଧିକ ଶିକ୍ଷକ ଏଠାରେ ଏକାଠି ହୋଇ ନିଜର ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି। ସରକାର କାହିଁକି ସମାଧାନର ବାଟ ବାହାର କରୁନାହାନ୍ତି ବୋଲି ପ୍ରଶ୍ନ କରି ବିରୋଧୀ ଦଳ ସଭ୍ୟମାନେ ଗୃହରେ ତୀବ୍ର ପ୍ରତିବାଦ କରିଥିଲେ। ସରକାର ପଦକ୍ଷେପ ନନେଲେ ବିଧାନସଭା ଚାଲିବାର ମାନେ କିଛି ନାହିଁ ବୋଲି ଗତକାଲି ବିରୋଧୀ ଦଳର ବିଧାୟକମାନେ ରୋକ୍‌ଠୋକ୍ ଜଣାଇ ଦେଇଥିଲେ। ଫଳରେ ମଙ୍ଗଳବାର ଦିନ ଗୃହରେ କୌଣସି କାର୍ଯ୍ୟ ହୋଇ ପାରି ନଥିଲା। ଆଜି ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ‌ଆସି ‌ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଲେ। ୧୧ଟା ୩୦ରେ ସମାନ ସ୍ଥିତି ଲାଗି ରହିଥିଲା। ବାଚସ୍ପତି ଗତକାଲି ରୁଲିଂ ଦେବା ସତ୍ତ୍ବେ ସରକାର କାହିଁକି ପଦ‌କ୍ଷେପ ନେଲେନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ମୁଲତବୀ ରଖିଲେ।

Related Posts