କରୋନା ମୁକାବିଲାରେ ସ୍ବଚ୍ଛତା ଲାଗି ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ : କଂଗ୍ରେସ


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାମାରୀ କରୋନା କ୍ରମାଗତ ଭାବେ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି । ମହାମାରୀ ଏ ଜଟିଳ ସମୟକୁ ସଫଳତାର ସହିତ ମୁକାବିଲା କରିବା ପାଇଁ ଯଥାଶୀଘ୍ର ଏକ ସର୍ବଦଳୀୟ ବୈଠକର ଆବଶ୍ୟକତା ରହିଛି ବୋଲି ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।ଏହାସହ ଶ୍ରୀଯୁକ୍ତ ପଟ୍ଟନାୟକ ଉଦବେଗ ପ୍ରକାଶ କରି କହିଛନ୍ତି କରୋନାର ସଫଳ ପରିଚାଳନା ନେଇ ବାଚସ୍ପତି ଡାକିଥିବା ବିଧାୟକମାନଙ୍କ ବୈଠକ କେବଳ ଉପରଠାଉରିଆ ଓ ଲୋକଦେଖାଣିଆ । ସରକାରଙ୍କର ଆନ୍ତରିକତାର ଅଭାବ ରହିଛି । ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ କରୋନା ପରିସ୍ଥିତିକୁ ନେଇ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀଙ୍କୁ ୧୫ମାସ ପୂର୍ବରୁ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ପାଇନଥିଲେ ଏବଂ କରୋନା ମହାମାରୀର ପ୍ରଥମ ଲହର ସରିଲା, ଦ୍ୱିତୀୟ ଲହରର ପରିସ୍ଥିତି ଅଣାୟତ୍ତ ଏବଂ ସଙ୍କଟଜନକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ସେ ଯେମିତି ଏହାକୁ ଅଣଦେଖା କରୁଛନ୍ତି ବୋଲି ପି.ସି.ସି ସଭାପତି ଅଭିଯୋଗ କରିଛନ୍ତି ।

ତେଣୁ ଦ୍ୱିତୀୟ ତରଙ୍ଗରେ ରାଜ୍ୟର ଏଭଳି ସଂଗୀନ ସ୍ଥିତିକୁ ଏବଂ ରାଜ୍ୟର ଜନସାଧାରଣଙ୍କୁ ସୁରକ୍ଷା ଦେବା ନେଇ ପୁଣି ଶ୍ରୀଯୁକ୍ତ ପଟ୍ଟନାୟକ ଚିଠି ଲେଖି ଅନୁରୋଧ କରିଛନ୍ତି । ଏବଂ ସେ କହିଛନ୍ତି ଦୈନିକ ଶତାଧିକ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି । ଏଭଳି ଗୋଟିଏ ଦିନ ନାହିଁ ଯେଉଁଦିନ କୌଣସି ନା କୌଣସି ବ୍ୟକ୍ତି ନିଜର ଆତ୍ମୀୟ ସ୍ୱଜନକୁ ହରାଇ ମ୍ରିୟମାଣ ନହେଉଛି। ସ୍ଥିତି ଏଭଳି ଯେ ଦେହାନ୍ତର ପରିସଂଖ୍ୟାନକୁ ମଧ୍ୟ ଲୋକ ବିଶ୍ୱାସ ଓ ଗ୍ରହଣ କରିବା ଭଳି ଆଉ ନାହାଁନ୍ତି । ଏଭଳି ଏକ ଘଡିସନ୍ଧି ପରିସ୍ଥିତିକୁ କେବଳ ସରକାର ଏବଂ ସରକାରୀ କଳ ଆୟତ୍ତକରିବାରେ ସପଳ ହେବେ, ସେଥିରେ ମୁଁ ସନ୍ଦିହାନ । ଦାରୁଣ ଦୁସ୍ଥିତି ସମୟରେ ସମସ୍ତେ ରାଜନୈତିକ ମନାନ୍ତର ଓ ମତଭେଦ କୁ ପଛରେ ପକାଇ ସେଥିରୁ ଉର୍ଦ୍ଧ୍ୱକୁ ଯାଇ ସମାଜର ସବୁବର୍ଗ ଏବଂ ଗୋଷ୍ଠୀଙ୍କୁ ସାଥିରେ ନେଇ ଏ ମୁହୂର୍ତ୍ତକୁ ସଫଳ ମୁକାବିଲା କରିବାର ଆବଶ୍ୟକତା ରହିଛି । ସରକାର ଏଭଳି ସମୟରେ ନିଜେ ସମସ୍ତଙ୍କ କଥାକୁ ଗୁରୁତ୍ୱଦେଇ ସମାଜର ସବୁବର୍ଗର ଜନସାଧାରଣଙ୍କ ହିତ ଲାଗି କାର୍ଯ୍ୟ କରନ୍ତୁ । ବିଧାନସଭାର  ବାଚସ୍ପତି ଆମର ସମସ୍ତ ବିଧାୟକ ମାନଙ୍କୁ ବୈଠକ ଡାକିଥିଲେ। ଏହି ବୈଠକରେ ଆପଣ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ପରିତାପର ବିଷୟ ଉକ୍ତ ସଭାକୁ ଅନେକ ରାଜନୈତିକ ଦଳର ନେତୃବର୍ଗ ଓ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଇନଥିଲା । ଏବଂ ଅନେକ ବିଧାୟକ ମଧ୍ୟ ଉକ୍ତ ସଭାରେ ଅନୁପସ୍ଥିତ ଥିଲେ । ବୋଧହୁଏ କୌଣସି ରାଜନୈତିକ ଚାପରେ ଚେପା ହୋଇ ଆପଣ ଏଭଳି ଏକ ଔପଚାରିକତା ଦୃଷ୍ଟି କୋଣରୁ ବୈଠକଟିଏ ଡକାଇଥିଲେ ।ତେଣୁ ଆମେ ନିବେଦନ କରୁଛୁ ସମୟ ଅତିକ୍ରାନ୍ତ ନକରି ବିଭିନ୍ନ ବର୍ଗର ବିଶେଷଜ୍ଞ, ସାମାଜିକ କର୍ମୀ, ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଆୟୋଜନ କରନ୍ତୁ । ଏବଂ ସମସ୍ତଙ୍କ କଥାକୁ ଧ୍ୟାନ ଦେଇ ସବିଶେଷ ଆଲୋଚନା ମାଧ୍ୟମରେ କରୋନାକୁ କିଭଳି ଭାବରେ ପ୍ରତିହତ କରାଯାଇ ପାରିବ ସେଥିପାଇଁ ଏକ ଉପଯୋଗୀ ଖସଡା ପ୍ରସ୍ତୁତ ହେଉ । ମହାମାରୀ କରୋନା ଏବେ ଢିଙ୍କିଶାଳ ରୁ ଢେଙ୍କାନାଳ , ଗାଁ ରୁ ସହର ସବୁଠି ତାର କରାଳ ରୂପ ଦେଖାଇ ଚାଲିଛି । ଶ୍ରୀଯୁକ୍ତ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ସୁରକ୍ଷା ଓ ସାମୁହିକ ସ୍ୱାର୍ଥ ରକ୍ଷା ତାଙ୍କର ପ୍ରମୁଖ ଦାୟିତ୍ୱ । ତେଣୁ ସେଥି ପାଇଁ ସେ ଏବଂ ତାଙ୍କ ଦଳ ଦ୍ୱାରା ଯାହାକିଛି ସହାୟତା ହୋଇପାରିବ ସେଥିପାଇଁ ସେ ସଦା ପ୍ରସ୍ତୁତ ଓ ତତ୍ପର ରହିଛନ୍ତା । ଏ ଦୁଃଖଦ ସମୟ ନିନ୍ଦା ଅପବିଦ ବା ପ୍ରଂଶସା ସାଉଁଟିବାର ବେଳ ନୁହେଁ। ଆମେ କିବଳି ଆମର ଜନସାଧାରଣଙ୍କୁ ବ୍ୟାପକ ଟୀକାକରଣ କରିପାରିବା ଏବଂ ଲୋକମାନଙ୍କୁ ଅକାଳମୃତ୍ୟୁରୁ ରକ୍ଷା କରିପାରିବୃ ତାହାହିଁ ଏ ସମୟର ସର୍ବୋତ୍ତମ ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି ।ଏବଂ ଶେଷରେ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ଚିଠିର ପ୍ରତିଉତ୍ତର ମୁଖ୍ୟମନ୍ତ୍ରୀ ତୁରନ୍ତ ଦେବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

Related Posts