ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): କଟକ ମହାନଗର ନିଗମ (ସିଏମସି)ରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ସେପଟେ ବିଭିନ୍ନ ଦାବି ନେଇ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର। ଗତକାଲି ରାତିରେ ଘଟଣାସ୍ଥଳରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କୁ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ। ହେଲେ ସେମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି ରୋକଠୋକ କହିଥିଲେ।
ସିଏମସିର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଡି.ଆର.ତ୍ରିପାଠୀଙ୍କୁ ବଦଳି, ବିନା ବିରୋଧୀଙ୍କ ଉପସ୍ଥିତିରେ ସିଏମସି କାଉନସିଲରେ ପାରିତ ହୋଇଥିବା ବିଲ୍କୁ ପ୍ରତ୍ୟାହାର କରିବା ଓ ବିଧାୟକ ମୋକିମଙ୍କୁ କ୍ଷମା ପ୍ରାର୍ଥନା ପ୍ରସ୍ତାବ ଦେବାକୁ କର୍ପୋରେଟରମାନେ ଦାବି କରିଥିଲେ ।
ତେବେ ଏନେଇ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, କଟକ ମହାନଗର ନିଗମରେ ଅଫିସରଙ୍କ ମନମାନି ଚାଲିଛି। ଅଫିସରଙ୍କ ଏହି ମନମାନି କଟକ ସହରବାସୀ ବରଦାସ୍ତ କରିବେନାହିଁ। ନିର୍ଣ୍ଣାୟକ ନିଷ୍ପତ୍ତି ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ। ଆନ୍ଦୋଳନ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ମେୟର ସୁବାଷ ସିଂହ ଏନେଇ କହିଛନ୍ତି ଯେ, କଟକବାସୀଙ୍କ ସ୍ୱାର୍ଥ ପାଇଁ ଏହି କାମ କରାଯାଉ ନାହିଁ। କଟକରେ କିପରି ଭଲ କାମ ହେବା ତାହାକୁ ଦୃଷ୍ଟି ଦେବା କଥା। ସେହି କଥା ନ କରି କାହାକୁ ଡାକିଲେ ଓ କାହାକୁ ନ ଡାକିଲେ ଏନେଇ ହଙ୍ଗାମା କରିବା ଠିକ୍ ନୁହେଁ।
ସୂଚନାଯୋଗ୍ୟ, ଗତକାଲି ଦେଢ ମାସ ପରେ କଟକ ପୌର ନିଗମର କାଉନସିଲ ବୈଠକ ବସିଥିବା ବେଳେ ବୈଠକ ଆରମ୍ଭରୁ ନାମ ଫଳକ ରାଜନୀତି ଓ ନିଗମର ନିର୍ବାହୀଯନ୍ତ୍ରୀ କର୍ପୋରେଟରଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ହଟଚମଟ ଆରମ୍ଭ ହୋଇଯାଇଥିଲା। ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଭିତ୍ତିଭୂମିର ଶିଳାନ୍ୟାସ ଫଳକରେ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ନାମ ରଖା ନଯିବାକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତିନି ଦିନ ମଧ୍ୟରେ ନାମଫଳକ ବଦଳାଇବା ସହ ବିଧାୟକଙ୍କୁ କ୍ଷମା ପ୍ରାର୍ଥନା କରିବା ଦାବିରେ କଂଗ୍ରେସ ଓ ବିଜେପି କର୍ପୋରେଟ ଦୀର୍ଘ ସମୟ ଧରି କାଉନସିଲ୍ ହଲ ଚଟାଣରେ ବସି ଧାରଣା ଦେବାସହ ନରାବାଜି କରିଥିଲେ। ବିଧାୟକ ଇଂଜିନିୟର ମୋକିମଙ୍କ ସହିତ ଏ ବିଷୟରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର ସୁବାସ ସିଂହ ପ୍ରତିଶ୍ରୁତି ଦେବା ପରେ ବିରୋଧୀ କର୍ପୋରେଟର ନିଜ ସ୍ଥାନକୁ ଫେରିଥିଲେ।
କିନ୍ତୁ ପରେପରେ ନିଗମର ନିର୍ବାହୀ ଯନ୍ତ୍ରୀ ଦିବ୍ୟ ରଂଜନ ତ୍ରିପାଠୀଙ୍କ ବିରୋଧରେ କଂଗ୍ରେସ କର୍ପୋରେଟର ଅଭିଯୋଗ ଆଣିଥିଲେ। ସେମାନଙ୍କୁ ସେମାନଙ୍କ ୱାର୍ଡରେ ହେଉଥିବା କାମକୁ ନେଇ ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରଶ୍ନ ପଚାରୁ ଥିବା ସେମାନେ ଅଭିଯୋଗ କରିଥିଲେ। କର୍ପୋରେଟର ହେଉଛନ୍ତି ଜନପ୍ରତିନିଧି। ତାଙ୍କୁ ଏପରି ବ୍ୟବହାର କାହିଁକି କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀଙ୍କୁ ମେୟର ସୁବାସ ସିଂହ ପ୍ରଶ୍ନ କରିଥିଲେ। କିନ୍ତୁ ଶ୍ରୀ ତ୍ରିପାଠୀ ଏହାର ଉତ୍ତର ନଦେଇ ନିଜ ସ୍ଥାନରେ ଚୁପ୍ଚାପ୍ ବସି ରହିଥିଲେ। ମେୟରଙ୍କ ପ୍ରଶ୍ନର ଉତ୍ତର ବି ନିର୍ବାହୀ ଯନ୍ତ୍ରୀ ଦେଉ ନଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ କର୍ପୋରେଟର ଗ୍ଲାସ, ମାଇକ୍ରୋଫୋନ୍ ପିଙ୍ଗିଥିଲେ। ଏଭଳି ସ୍ଥିତିରେ ପ୍ରଥମେ କମିସନର ନିଖିଲ ପୱନ କଲ୍ୟାଣ କାଉନସିଲ ଗୃହରୁ ଚାଲି ଯାଇଥିଲେ। ତାଙ୍କ ପରେ ମେୟର ଓ ଡେପୁଟି ମେୟର ମଧ୍ୟ ନିଜନିଜ ସ୍ଥାନ ଛାଡି ପଳାଇଥିଲେ। ଏପରି ଆଚରଣରେ ଉତ୍କ୍ଷିପ୍ତ ହୋଇ କଂଗ୍ରେସ ଓ ବିଜେପିର କର୍ପୋରେଟର ହଲ ବହାରକୁ ଆସି ନିର୍ବାହୀ ଯନ୍ତ୍ରୀ ଓ କମିସନରଙ୍କୁ ବଦଳି କରିବା ଦାବିରେ ଧାରଣା ଦେଇଥିଲେ।
