୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯; ଜୟଦେବ ପୁରସ୍କାର ପାଇଲେ ଘନଶ୍ୟାମ ମହାପାତ୍ର

ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଯୋଜକ ଓ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର। ଚଳଚ୍ଚିତ୍ର ନିର୍ଦେଶନା ଓ ପ୍ରଯୋଜନା‌ରେ ଜୀବନବ୍ୟାପୀ ସାଧନାର ଫଳ ସ୍ୱରୂପ ତାଙ୍କୁ ଏହି ସମ୍ମାନ ମିଳିଛି। ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ସହଯୋଗରେ ଉତ୍କଳ ମଣ୍ଡପରେ ଆୟୋଜିତ ‘୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୯’ରେ ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଛି।

ଏଥିସହ ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ‘କାଲିର ଅତୀତ’କୁ ଏଥର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ’ ପୁରସ୍କାର ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ଅର୍ଥରାଶି ସହ ପ୍ରଯୋଜକ ନୀଳମାଧବ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ‘କାଲିର ଅତୀତ’ର ନିର୍ଦ୍ଦେଶକ ଶ୍ରୀ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ରାଶିରେ ସମ୍ମାନିତ କରାଯାଇଛି। ଆହୁରି ବି ‘କାଲିର ଅତୀତ’ର ଅଭିନେତା ପୀତବାସ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ‘ବାବୁ ଭାଇଜାନ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଷଡ଼ଙ୍ଗୀଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର’ ପ୍ରଦାନ କରାଯାଇଛି। ଉଭୟଙ୍କୁ ପନ୍ଦର ହଜାର ଟଙ୍କାର ମାନଦେୟ ରାଶି ସହ ଉତ୍ତରୀୟ ଓ ମାନଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ‘ବାବୁ ଭାଇଜାନ’ ଚଳଚ୍ଚିତ୍ର ସର୍ବାଧିକ ୬ଟି ବର୍ଗରେ ପୁରସ୍କାର ହାତେଇ ଥିବା ବେଳେ ‘କୋଟିଏରେ ଗୋଟଏ ମନ’କୁ ୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ବିନୀ ପାତ୍ର, ଭୁବନେଶ୍ବର ମେୟର ସୁଲୋଚନା ଦାସ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଏଫ୍‌ଡିସିର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ‌ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସି‌ନେ ଆର୍ଟିଷ୍ଟ ଆସୋସିଏସନ୍‌କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ଓଡ଼ିଆ ସିନେମାର ୮୬ ବର୍ଷର ଇତିହାସକୁ ନେଇ ଏକ ଅଡିଓ-ଭିଜୁଆଲ୍‌ ପ୍ରଦର୍ଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ରର ୨୭ଟି ବିଭାଗରେ ମୋଟ୍ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରର ଜୁରି କମିଟିର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସିନେମାଟୋଗ୍ରାଫର୍ ସୁରେନ୍ଦ୍ର ସାହୁ ନିୟୋଜିତ ହୋଇଥିବା ବେଳେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ଓ ବିଶିଷ୍ଟ ଗୀତିକାର ଗୌର ପଟ୍ଟନାୟକ ପ୍ରମୁଖ ଜୁରି ସଦସ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ। ଆଜି ପୁରସ୍କାର ପ୍ରଦାନ ଅବସରରେ ଜୁରି ସଦସ୍ୟଙ୍କୁ ସମ୍ମାନିତ କରାଯାଇଛି। ଆସନ୍ତାକାଲି ୧୪ ତାରିଖ ‘୮ମ ରାଜ୍ୟ ଟେଲି ପୁରସ୍କାର’ ପ୍ରଦାନ କରାଯିବ।

୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯

ଜୟଦେବ ପୁରସ୍କାର: ପ୍ରଯୋଜକ/ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର
ଶ୍ରେଷ୍ଠ ଚଳଚ୍ଚିତ୍ର: କାଲିର ଅତୀତ (ପ୍ରଯୋଜକ ନୀଳମାଧବ ପଣ୍ଡା)
ଶ୍ରେଷ୍ଠ ନିର୍ଦ୍ଦେଶକ: ନୀଳମାଧବ ପଣ୍ଡା (କାଲିର ଅତୀତ)
ଶ୍ରେଷ୍ଠ ଅଭିନେତା: ପୀତବାସ ତ୍ରିପାଠୀ (କାଲିର ଅତୀତ)
ଶ୍ରେଷ୍ଠ ଅଭିନେତ୍ରୀ: ଶିବାନୀ ସଙ୍ଗୀତା ଷଡ଼ଙ୍ଗୀ (ବାବୁ ଭାଇଜାନ୍‌)
ଶ୍ରେଷ୍ଠ କାହାଣୀ: ସ୍ବର୍ଗତ କପିଳେଶ୍ବର ପ୍ରସାଦ ମହାପାତ୍ର (ଶଲାବୁଢ଼ାର ବଦଲା)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ସମ୍ମାନ): ସ୍ବର୍ଗତ ରାଜୁ ମିଶ୍ର (କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ସ୍ବୟମ୍ ପାଢ଼ୀ (ଦେଖା ହେଲା ପ୍ରେମ ହେଲା)
ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଦୀପ୍ତିରେଖା ପାଢ଼ୀ (ଫ୍ରମ୍‌ ମି ଟୁ ଇଉ)
ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ସମ୍ମାନ): ରବୀନ୍ଦ୍ର ବେହେରା(ବାବୁ ଭାଇଜାନ୍)
ଶ୍ରେଷ୍ଠ ସମ୍ପାଦନା: ପୁନିତ ରାଜ (କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଗୀତିକାର: ପ୍ରଦୀପ୍ତ ନନ୍ଦ (କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଚିତ୍ରନାଟ୍ୟ: ସନ୍ତୋଷ ନାରାୟଣ ଦାସ (ବାବୁ ଭାଇଜାନ୍)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ବବି ମିଶ୍ର (ବାବୁ ଭାଇଜାନ୍)
ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ବନିତା ନାଗ (ଝରନ୍‌)
ଶ୍ରେଷ୍ଠ ହାସ୍ୟ କଳାକାର: ହରିହର ମହାପାତ୍ର (କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଶିଶୁ କଳାକାର: ମୟଙ୍କ (ରଙ୍ଗ ବରଷିବ ଟୁପୁରୁ ଟୁପୁରୁ)
ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (କାଲିର ଅତୀତ)
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଚନ୍ଦ୍ରଶେଖର ଶର୍ମା(ଶଲା ବଢ଼ାର ବଦ୍‌ଲା)
ସ୍ବତନ୍ତ୍ର ଜୁରି ପୁରସ୍କାର: ଅଭିନେତା ରୋହିତ ରାଜ୍ (କୋଟିଏରେ ଗୋଟିଏ ମନ)
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର (ଟେଲି ଚଳଚ୍ଚିତ୍ର): ବା‌ଜି ଦି ଇମୋର୍ଟାଲ ବୋଟ୍‌ ବୟ (ପ୍ରଯୋଜକ- ସତ୍ୟବ୍ରତ ରଥ)
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର (ଟେଲି ଚଳଚ୍ଚିତ୍ର): ଫ୍ରମ୍ ସଞ୍ଜୁ (ଅଭିଷେକ କୁମାର ଦାସ)
ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର: ଶ୍ରୀକ୍ଷେତ୍ରରୁ ସାହିଯାତ (ପ୍ରଯୋଜକ/ନିର୍ଦ୍ଦେଶକ: ଆଶୁତୋଷ ପଟ୍ଟନାୟକ)
ଶ୍ରେଷ୍ଠ ସଂଳାପ ଲେଖକ: ସ୍ବର୍ଗତ ଅଟଳ ବିହାରୀ ପଣ୍ଡା (ଶଲା ବୁଢ଼ାର ବଦ୍‌ଲା)
ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ: ଚୈତନ୍ୟ ମଟାରି (ଶଲା ବୁଢ଼ାର ବଦ୍‌ଲା)
ଶ୍ରେଷ୍ଠ ରୂପ ସଜ୍ଜାକାରୀ: ରାଜକିଶୋର ଜେନା (ବାବୁ ଭାଇଜାନ)
ଶ୍ରେଷ୍ଠ ନୃତ୍ୟ ସଂଯୋଜନା: ଗିରୀଶ ମହାନ୍ତି (ବାବୁ ଭାଇଜାନ୍‌)

Related Posts