‘ସହାୟତା କରିବାକୁ ଇଚ୍ଛାଥିଲେ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ’; କଂଗ୍ରେସର କବାଟ ଉପହାର ନେଇ ସୁବାସ ସିଂହଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ପୌର ନିଗମର କାର୍ଯ୍ୟାଳୟରେ ଗତକାଲି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ମେୟର ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ ସିଏମସି କମିଶନରଙ୍କୁ ଦେଖା କରି ଏକ ଶୌଚାଳୟ କବାଟ ଉପହାର ଦେଇଥିଲା । ଏହି ଘଟଣା ଏବେ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂହ। ସେ କଂଗ୍ରେସର ଏଭଳି କାମକୁ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, କିଛି ନବୁଝି କଂଗ୍ରେସ କର୍ମୀ ମାନେ କବାଟ ଧରି ଆସିଲେ। ଯଦି ସେମାନେ ସହାୟତା କରିବାକୁ ଏତେ ଇଚ୍ଛୁକ, ଗରିବ ଲୋକଙ୍କୁ ସହାୟତା କରନ୍ତୁ । ଏତେ ବନ୍ୟା ବାତ୍ୟା ହେଉଛି, ଅସହାୟତାଙ୍କୁ ସହାୟତା କରି ମାନସିକ ଶାନ୍ତି ପାଆନ୍ତୁ ।

ସୂଚନାଯୋଗ୍ୟ ଯେ, ଏହି ପୂରା ଘଟଣାର ସଂଯୋଗ ସିଏମସି କାଉନସିଲ ବୈଠକ ସହ ରହିଛି । ମଙ୍ଗଳବାର ସିଏମସି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମେୟର ସୁବାସ ସିଂ କହିଥିଲେ ଯେ ତାଙ୍କ କାର୍ଯ୍ୟାଳୟର ଶୌଚାଳୟ କବାଟ ଭାଙ୍ଗି ଯାଇଛି । ହେଲେ ସେ କବାଟ ଲଗାଇ ପାରୁନାହାନ୍ତି। ମେୟରଙ୍କ କାର୍ଯ୍ୟାଳୟର ଶୌଚାଳୟ କବାଟ ଭାଙ୍ଗିଯାଇଥିବାରୁ ଜିଲ୍ଲା କଂଗ୍ରେସ କର୍ମୀମାନେ ତାଙ୍କୁ ଏଭଳି ପ୍ରୟାସ ଆପଣାଇଥିବା ଜଣାପଡ଼ିଛି ।ସେଥିପାଇଁ କଂଗ୍ରେସ କର୍ମୀମାନେ ମେୟରଙ୍କ ଉଦ୍ଦେଶ୍ୟରେ କବାଟ ସହ କବାଟ ଲଗାଇବା ପାଇଁ ୫୦୦ ଟଙ୍କା ସିଏମସି କମିଶନରଙ୍କୁ ପ୍ରଦାନ କରିଥିଲେ ।

Related Posts