ରାଜ୍ୟରେ ସମବାୟ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ: ଜୁନ୍ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ଶେଷ ହୋଇଛି ପଂଚାୟତ ଓ ପୌର ନିର୍ବାଚନ । ତେବେ ଏବେ ସମବାୟ ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ କ୍ରମେ ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ନିମନ୍ତେ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ସମୟରେ ରାଜ୍ୟ ସମବାୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ରାଜ୍ୟ ସମବାୟ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ ପ୍ରାଥମିକ ସମବାୟ ସୋସାଇଟି ଗୁଡ଼ିକର ପରିଚାଳନା କମିଟି କର୍ମକର୍ତ୍ତା ଚୟନ ନିମନ୍ତେ ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ କରିବା ନିମନ୍ତେ ରାଜ୍ୟ ସମବାୟ ନିର୍ବାଚନ କମିଶନର ମାର୍ଚ୍ଚ ୩୦ ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୯ ଓ ୨୬ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ହେବ।

ସମବାୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ୨୦୨୦ ମସିହାରୁ ଶେଷ ହୋଇସାରଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ସମବାୟ ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଇତିମଧ୍ୟରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ରାଜ୍ୟର ୭,୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ। ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ଲକ୍ଷ ସଦସ୍ୟ ଅଛନ୍ତି ଓ ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହାପରେ କେନ୍ଦ୍ରୀୟ ସମବାୟ ଓ ଶୀର୍ଷ ସମବାୟ ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ହେବ। ପ୍ରାଥମିକ ସମବାୟ ସୋସାଇଟିରେ ଜୁନ୍ ୧୯ ଓ ୨୬ ତାରିଖରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଆଗାମୀ ୩୫ ଦିନ ଭିତରେ ପ୍ରାଥମିକ ସଦସ୍ୟମାନଙ୍କର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ, ନାମାଙ୍କନ ପତ୍ର ଦାଖଲ, ଯାଂଚ, ପ୍ରତ୍ୟାହାର ଓ ଭୋଟଗ୍ରହଣ ଆଦି କାର୍ଯ୍ୟସୂଚୀ ଘୋଷଣା ହେବ।

ସୂଚନାଯୋଗ୍ୟ, ପ୍ରତି ୫ ବର୍ଷରେ ରାଜ୍ୟରେ ସମବାୟ ନିର୍ବାଚନ ହୋଇଥାଏ, କିନ୍ତୁ ୨୦୨୦ ମସିହାରେ ସବୁ ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସରକାର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କରାଇ ନଥିଲେ ।

Related Posts