ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ, କଳାରେ ପାସ୍‌ ହାର ୭୮.୮୮ %

ଭୁବନେଶ୍ୱର,୮/୬(ସତ୍ୟପାଠ ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗୁରୁବାର ଅପରାହ୍‌ଣ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ।

ତେବେ ଚଳିତ ବର୍ଷ +୨ କଳାରେ ପାସ୍ ହାର ୭୮.୮୮ % ରହିଛି ଓ ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି | ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାସ୍‌ ହାରରେ ସର୍ବନିମ୍ନ ୭୦.୭୪% ରହିଛି | ଏଥର ପାସ୍‌ ହାରରେ ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ | ଏବର୍ଷ ଝିଅଙ୍କ ପାସ୍‌ ହାର ୮୫.୬୬% ଓ ପୁଅଙ୍କ ପାସ୍ ହାର- ୭୦.୪୩% ରହିଛି | ସେହିପରି ପ୍ରଥମ ଶ୍ରେଣୀରେ ୩୨, ୭୮୨ ଓ ୨ୟରେ ୩୨, ୪୬୧ ପିଲା ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧, ୧୬, ୧୭୯ ପିଲା ପାସ୍ କରିଛନ୍ତି|

ଏହା ପୂର୍ବରୁ ଗତ ମେ’ ମାସ ୩୧ ତାରିଖରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ରହିଥିଲା। ଚଳିତ ବର୍ଷ ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪ ଛାତ୍ରଛାତ୍ରୀ। ସେଥିମଧ୍ୟରୁ ୭୮,୯୩୮ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଜଣ ପାସ କରିଛନ୍ତି। ବାଣିଜ୍ୟରେ ମୋଟ୍ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୯,୫୩୬ ଜଣ ପାସ୍ କରିଛନ୍ତି। ଏମାନଙ୍କ ଭିତରୁ ୭୪୧୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ୪୫୪୩ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଓ ୭୪୯୨ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସୂଚନା ଅନୁଯାୟୀ ଚଳିତବର୍ଷ ଯୁକ୍ତ ୨ର ୪ଟି ବିଭାଗରେ ପରୀକ୍ଷା ଦେବା ଲାଗି ୩ ଲକ୍ଷ ୫୬ ହଜାର ୪୪୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। କଳା ବିଭାଗରେ ୨ଲକ୍ଷ ୩୨ ହଜାର ୬୪୪, ବିଜ୍ଞାନରେ ୯୩ହଜାର ୭୩୦, ବାଣିଜ୍ୟରେ ୨୪ହଜାର ୨୪୬ ଓ ଧନ୍ଦାମୂଳକ ବିଭାଗରେ ୫୮୨୯ଜଣ ରହିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୫୫୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।

Related Posts