ବାଧ୍ୟତାମୂଳକ ଭାବେ ଗୋମାଂସ ଖାଉଥିବା ଲୋକ ହିନ୍ଦୁ ଧର୍ମକୁ ଫେରିପାରିବେ: ଆରଏସ୍‌ଏସ୍‌ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆରଏସ୍‌ଏସ୍‌)ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ବାଧ୍ୟତାମୂଳକ ଭାବେ ଗୋମାଂସ ଖାଉଛନ୍ତି ସେମାନଙ୍କ ପାଇଁ ଆମେ କେବେ ହେଲେ କବାଟ୍‌ ବନ୍ଦ କରିପାରିବାନି। ସେମାନେ ମଧ୍ୟ ଆମ ଧର୍ମକୁ ଫେରିପାରିବେ। ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ହିନ୍ଦୁ।

ରାଜସ୍ଥାନର ଜୟପୁରର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ହୋସବାଲେ କହିଛନ୍ତି ଯେ, ଦେଶରେ କିଛି ଏପରି ଲୋକ ଅଛନ୍ତି, ଯେଉଁମାନେ ବାଧ୍ୟତାମୂଳକ ଭାବେ ଗୋମାଂସ ଖାଇଥିବେ, କିନ୍ତୁ ସେମାନଙ୍କ ପାଇଁ ଆମେ କବାଟ ବନ୍ଦ କରିପାରିବୁ ନାହିଁ। ସେମାନଙ୍କୁ ହିନ୍ଦୁ ଧର୍ମକୁ ଫେରାଇ ଆଣିପାରିବୁ। ଭାରତରେ ବାସ କରୁଥିବା ସମସ୍ତ ନାଗରିକ ହିନ୍ଦୁ, କାରଣ ସେମାନଙ୍କର ପୂର୍ବପୁରୁଷମାନେ ହିନ୍ଦୁ ଥିଲେ। ଆଜି ମେସାନେ କେଉଁ ପୂଜାପାଠ କରୁଛନ୍ତି, ଏବେ କ’ଣ କରୁଛନ୍ତି, ଏହା ଆମର ବିଚାର ନୁହେଁ। ଯେଉଁମାନେ ନିଜକୁ ହିନ୍ଦୁ ମାନନ୍ତି, ସେମାନେ ହିନ୍ଦୁ।

ହୋସବାଲେ ବୁଧବାର ଜୟପୁରରେ ଦୀନ ଦୟାଲ ମେମୋରିଆଲରେ ନିଜ ସମ୍ବୋଧନରେ କହିଛନ୍ତି ଯେ, ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆରଏସଏସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶରେ ୬୦୦ ରୁ ଅଧିକ ଜନଜାତି ଅଛନ୍ତି। ଏହି ଜନଜାତି ମାନେ କୁହନ୍ତି ଆମେ ଅଲଗା। ଆମେ ହିନ୍ଦୁ ନୁହେଁ। ଭାରତ ବିରୋଧୀ ଶକ୍ତି ତାଙ୍କୁ ଉସୁକାଉଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ଡା. ମହେଶ ଚନ୍ଦ୍ର ଶର୍ମା, ଅଶୋକ ପରନାମୀ ଏବଂ ବିରୋଧୀ ଦଳର ନେତା ଗୁଲାବଚନ୍ଦ କାଟରିଆ ମଧ୍ୟ ଉପସ୍ଥିତ ଥିଲେ।

Related Posts