ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ଜୟପୁରର ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟର ମାନ୍ୟତା। ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଆସନ୍ତା କାଲି ଏହି ମହାବିଦ୍ୟାଳୟ ନିଜର ପ୍ଲାଟିନମ୍ ଜୁବୁଲି ଉତ୍ସବ ପାଳନ କରୁଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ତେବେ ପ୍ଲାଟିନମ୍ ଜୁବୁଲି ଉତ୍ସବ ପୂର୍ବରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଭେଟି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପୋଷ୍ଟ ଗ୍ରାଜୁଏଟ ପ୍ରୋଗ୍ରାମ୍‌, ୧୭ଟି ଅଣ୍ଡର ଗ୍ରାଜୁଏଟ ପ୍ରୋଗାମ୍‌ ସହିତ ବିବିଏ, ବିସିଏ, ବି.ଇଡି ପାଠ୍ୟକ୍ରମ ଜାରି ରହିଛି ।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି. । ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ , ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଦକ୍ଷିଣ ଓଡିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Related Posts