ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ: ଓଡ଼ିଶା ସରକାର ଓ ବିଜେଡିକୁ ସ୍ପଷ୍ଟୀକରଣ ମାଗିଲେ ନିର୍ବାଚନ କମିସନ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ସରକାରୀ ପାଣ୍ଠିରେ ପ୍ରଦତ୍ତ ବିଜ୍ଞାପନରେ ଦଳର ଶଙ୍ଖ ଚିହ୍ନ ବ୍ୟବହାର ନେଇ ନିର୍ବାଚନ କମିସନ ଓଡ଼ିଶା ସରକାର ଓ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ବୁଧବାର ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୨ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ଏପ୍ରିଲ୍-ମେ ମାସରେ ଲୋକସଭା ନିର୍ବାଚନ ସହ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

ଏ ପର୍ଯ୍ୟନ୍ତ ଆଦର୍ଶ ଆଚରଣବିଧି ଲାଗୁ ହୋଇନାହିଁ। ଓଡ଼ିଶାର ପ୍ରମୁଖ ଖବରକାଗଜ, ଟିଭି ଚ୍ୟାନେଲ, ରାଜ୍ୟ ପରିବହନ ବସ୍ ଏବଂ ବିଭିନ୍ନ ସହରରେ ହୋର୍ଡିଂ ମାଧ୍ୟମରେ ବିଜ୍ଞାପନରେ ବିଜେଡିର ଶଙ୍ଖ ଚିହ୍ନ ପ୍ରଦର୍ଶିତ ହେଉଥିବା ନେଇ କମିସନ ନିକଟରେ ଅଭିଯୋଗ ହୋଇଥିଲା। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗ ସମସ୍ତ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗକୁ ସୁନିଶ୍ଚିତ କରିବା ଲାଗି କଠୋର ନୀତି ଅନୁସରଣ କରୁଛନ୍ତି। ବିଜେଡି ସରକାରଙ୍କ ଏହି ବିଜ୍ଞାପନ ଅକ୍ଟୋବର ୨୦୧୬ରେ କମିସନ ଜାରି କରିଥିବା ନିର୍ଦ୍ଦେଶାବଳିର ଉଲ୍ଲଂଘନ କରୁଥିବା କମିସନ ଅନୁଭବ କରିଥିଲେ। କୌଣସି ରାଜନୈତିକ ଦଳକୁ ପ୍ରୋତ୍ସାହନ ଦେବା କିମ୍ବା ଏହାର ନିର୍ବାଚନ ଚିହ୍ନର ପ୍ରଚାର ପାଇଁ ସରକାରୀ ପାଣ୍ଠି/ସାର୍ବଜନୀନ ସ୍ଥାନକୁ ବ୍ୟବହାର କରିବା ମୁକ୍ତ ଓ ନିରପେକ୍ଷ ନିର୍ବାଚନର ଧାରଣା ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ସମାନ ସୁଯୋଗ ନୀତିର ବିରୋଧୀ ବୋଲି ଆୟୋଗ ମତ ରଖିଛନ୍ତି।

Related Posts