
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ସ୍ବାବ୍ ସଂଗ୍ରହ କୁ ନେଇ ବିରାଟ ବଡ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆମେରିକାରେ ରହୁଥିବା ଜଣେ ଯୁବକଙ୍କର ଓଡ଼ିଶାରେ କୋଭିଡ୍ ସ୍ବାବ୍ ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି । ଯେଉଁ ବ୍ୟକ୍ତିଙ୍କର ସ୍ବାବ୍ ସଂଗ୍ରହ କରାଯାଏ ତାଙ୍କ ମୋବାଇଲକୁ ମେସେଜ୍ ଆସିଥାଏ। ସେହିପରି ଆମେରିକାରେ ରହୁଥିବା ଜଣେ ଯୁବକଙ୍କ ପାଖକୁ କୋଭିଡ୍ ନମୁନା ସଂଗ୍ରହ କରାଯାଇଥିବା ନେଇ ମେସେଜ୍ ଯାଇଥିଲା। ତାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା । ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରଗଡ଼ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଟ୍ବିଟରରେ ଟ୍ୟାଗ୍ କରି ତ୍ରୁଟି ସୁଧାରିବାକୁ ଅନୁରୋଧ କରିଥିଲେ । ଯୁବକଙ୍କ ନାଁ ପଙ୍କଜ ପଣ୍ଡା ସେ ଆମେରିକାର ରୋଡ୍ ଆଇଲାଣ୍ଡର ଉନ୍ସକେଟ୍ରେ ରୁହନ୍ତି ବୋଲି ତାଙ୍କ ଟ୍ବିଟରରୁ ଜଣାପଡିଛି । ଗତକାଲି ଭାରତୀୟ ସମୟ ୮.୨୮ ମିନିଟ୍ରେ ଓଡିଶା ସରକାରଙ୍କ ପକ୍ଷରୁ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ସ୍ବାବ୍ ସଂଗ୍ରହ କରାଯାଇଥିବା ନେଇ ତାଙ୍କ ପାଖକୁ ମେସେଜ୍ ଯାଇଥିଲା । ତେବେ ମେସେଜ୍ ଦେଖିବା ପରେ ଉକ୍ତ ବ୍ୟକ୍ତି ଜଣକ ଶନିବାର ସକାଳ ୭ଟାରେ ଟ୍ବିଟ୍ କରି ତ୍ରୁଟି ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍ କରି ଥିଲେ ।
ତେବେ ତାଙ୍କର କେହି ସମ୍ପର୍କୀୟ ଜାଣିଶୁଣି ତାଙ୍କ ନମ୍ବର ଦେଇଥାଇ ପାରନ୍ତି ବୋଲି ଅନେକେ ଟ୍ବିଟର ୟୁଜର କହିଛନ୍ତି। ତେବେ ଓଡ଼ିଶାରେ କୋଭିଡ୍ ସ୍ବାବ୍ ସଂଗ୍ରହରେ ଏଭଳି ଜାଲିଆତି କୌଣସି ନୂଆ କଥା ନୁହେଁ, କାରଣ ପୂର୍ବରୁ ରାଜଧାନୀ ଭୁବନେଶ୍ଵରର ଏକ ଘରୋଇ କ୍ଲିନିକ୍ରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ପଜିଟିଭ୍ ଥିବା ବିଏମ୍ସି ପକ୍ଷରୁ କଲ୍ ଯାଇଥିଲା। ତେବେ ଏଭଳି ତ୍ରୁଟିପୂର୍ଣ୍ଣ ଫୋନ୍ ନମ୍ବର ଓ ଠିକଣା ଦେଇ ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକଙ୍କ ସଂପର୍କରେ ପ୍ରତି ଦିନ ଷ୍ଟେଟ୍ ପୁଲ ପକ୍ଷରୁ ସୂଚନା ଦିଆଯାଉଛି। ଓଡିଶାରେ କୋଭିଡ୍ ନମୁନା ସଂଗ୍ରହ ସମୟରେ କୌଣସି ଓଟିପି ବ୍ୟବସ୍ଥା ନଥିବା ହେତୁ ସ୍ବାବ୍ ଦେଉଥିବା ଲୋକମାନେ ଅନ୍ୟ କାହାର ମୋବାଇଲ ନମ୍ବର ଦେଉଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରବର୍ତ୍ତୀ ସମୟରେ ଯଦି ଉକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କୁ ଯୋଗାଯୋଗ କରିବାର କୌଣସି ବ୍ୟବସ୍ଥା ନ ଥିବାରୁ ସେମାନେ ବାହାରେ ବୁଲି ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରୁଛନ୍ତି।