ଓଡ଼ିଶାରେ ତାମାଖୁ ଉପରେ କଟକଣା ଲାଗୁ ହେବାର ୮ବର୍ଷ ପରେ ବି ବେଧଡକ ଚାଲିଛି ନିଶା ସାମଗ୍ରୀ ବେପାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶାରେ ଦୀର୍ଘ ଆଠ ବର୍ଷ ତଳେ ଗୁଟ୍‍ଖା ଓ ତମାଖୁ ସାମଗ୍ରୀ ବ୍ୟାନ୍ ଘୋଷଣା କରିଥିଲେ ରାଜ୍ୟ ସରକାର। ୮ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ସାରା ରାଜ୍ୟରେ ବେଧଡକ ଭାବରେ ଏହି ନିଶା ସାମଗ୍ରୀ ଉପଲବ୍ଧ ଅଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଆସିଲେ ସଚେତନତା ନାମରେ ସରକାରୀ ଓ ବେସରକାରୀ ସ୍ତରରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ବେ ଗୁଟଖା ଏବଂ ତମାଖୁ ସାମଗ୍ରୀର ବ୍ୟବହାର କମିବା ପରିବର୍ତ୍ତେ ବୃଦ୍ଧି ପାଉଛି । ସମଗ୍ର ବିଶ୍ୱରେ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଭାରତରେ ସର୍ବାଧିକ। ସେଥିପାଇଁ ଭାରତକୁ ମୁଖଗହ୍ୱର କର୍କଟରୋଗର ରାଜଧାନୀ ବୋଲି କୁହାଯାଏ । ମୁଖଗହ୍ୱର କର୍କଟରୋଗର ମୁଖ୍ୟ କାରଣ ହେଉଛି ବିଷାକ୍ତ ତମାଖୁ, ପାନମସଲା, ଗୁଟ୍‍ଖା, ମଦ ଓ ଅନ୍ୟାନ୍ୟ ନିଶା ସେବନ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରଚାର କରାଯାଉଥିବାବେଳେ ଏହାର ମୂଳଉତ୍ପାଟନ କିନ୍ତୁ କରାଯାଉ ନାହିଁ । ତେବେ ଉଲ୍ଲେଖନୀୟ କଥା ହେଉଛି ଭାରତରେ ଓଡିଶା, ବିହାର, ଝାଡଖଣ୍ଡ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶରେ ତମାଖୁ, ଗୁଟ୍‍ଖା ଓ ଅନ୍ୟାନ୍ୟ ନିଶା ସେବନ କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ, ଏବଂ ଏହି ରାଜ୍ୟ ଗୁଡିକରେ ଅଧିକ ସଂଖ୍ୟକ ମୁଖଗହ୍ୱର କର୍କଟରୋଗୀ ଦେଖାଯାଇଥାନ୍ତି । ଏତଦ୍ ବ୍ୟତୀତ ମଦ , ଗଞ୍ଜେଇ, ଚରସ, ବ୍ରାଉନସୁଗାର ଇତ୍ଯାଦି ବ୍ୟବହାର ଦ୍ବାରା କର୍କଟରୋଗ ବ୍ୟାପୁଥିବା ନେଇ ବୈଜ୍ଞାନିକ ଓ ଡାକ୍ତରମାନେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । କର୍କଟ ସମେତ କିଡ୍‍ନୀ, ଲିଭର, ଫୁସ୍‍ଫୁସ୍‍ ଏବଂ ହୃଦ୍‍ରୋଗ କ୍ଷେତ୍ରରେ ମଧ୍ୟ ଡାକ୍ତରମାନେ ନିଶା ସେବନ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି । ବର୍ତ୍ତମାନ ସମଗ୍ର
ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ସମୟରେ ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଲାଗି ଗୁରୁତ୍ବ ଦିଆଯିବା ସହ ଟିକାକରଣ ଉପରେ ବିଶ୍ବର ସମସ୍ତ ରାଷ୍ଟ୍ର ପ୍ରାଥମିକତା ଦେଉଛନ୍ତି । WHO ଠାରୁ ଆରମ୍ଭକରି ଆଇସିଏମ୍‍ଆର ଏବଂ ଅନ୍ୟ ସଂସ୍ଥା ଗୁଡ଼ିକ ବାରମ୍ବାର ସତର୍କ କରିଛନ୍ତି ଯେ ନିଶାସେବନ କରୁଥିବା ବ୍ୟକ୍ତିଙ୍କର ରକ୍ତରେ ନିକୋଟିନ୍‍ ଓ ଆଲକୋହଲ ପରିମାଣ ଅଧିକ ରହି ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରୁଛି । ଧୂମପାନ ସହ ଗୁଟ୍‍ଖା, ପାନମସଲା ଓ ମଦ ଆଦି ସେବନ ଯୋଗୁଁ ଶ୍ୱାସନଳୀ ଓ ଫୁସ୍‍ଫୁସ୍‍ ଅତି ମାତ୍ରାରେ ଦୁର୍ବଳ ରହୁଥିବାରୁ କରୋନା ସଂକ୍ରମଣ ହେଲେ ସ୍ୱାସ୍ଥ୍ୟବସ୍ଥା ଖୁବ୍ ଶୀଘ୍ର ଗୁରୁତର ହୋଇଯାଉଛି। ଏମିତିକି ନିଶାଡିଙ୍କୁ ଆଗେ କରୋନା ହେବ ବୋଲି ବି ଖୋଦ ସରକାରଙ୍କ ପକ୍ଷରୁ ମଧ୍ୟ ଚେତାବନୀ ଦିଆଯାଉଛି । କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଥିଲେ ମଧ୍ୟ ନିଶା ସେବନ, ଉତ୍ପାଦନ ଆଦି କମିବା ପରିବର୍ତ୍ତେ ବଢି ଚାଲୁଛି । ଚଳିତ ବର୍ଷ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବା ସରକାରୀ ଓ ବେସରକାରୀ ସଂସ୍ଥାମାନେ ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଜ୍ଞାନିକ ଓ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।

Related Posts