ୱାଶିଂଟନ(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଅଶାନ୍ତ ଆଡ଼କୁ ଗତି କରୁଛି ଇରାନ-ଆମେରିକା ଶାନ୍ତି ଆଲୋଚନା। ମଧ୍ୟପ୍ରାଚ୍ୟରେ ଶାନ୍ତି ଆଲୋଚନା ନେଇ ଘଡ଼ିକେ ଘୋଡା ଛୁଟୁଛି। ଏନେଇ ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ, ପରମାଣୁ ଯାଞ୍ଚକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ଅନୁମାନ କରାଯାଉଛି। ଦୀର୍ଘ ସମୟର ଆଲୋଚନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ, ଏହି ଚୁକ୍ତିନାମା ପଶ୍ଚିମ ଏସିଆରେ ଶାନ୍ତି ଆଣିବା ପାଇଁ ଲକ୍ଷ୍ୟ ରଖିଛି। ତେଣୁ ପରମାଣୁ ଯାଞ୍ଚ ବିନା କୌଣସି ଚୁକ୍ତି ହେବ ନାହିଁ। ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତି ଅନୁଯାୟୀ ଅନ୍ତର୍ଜାତୀୟ ପରମାଣୁ ପରୀକ୍ଷକମାନଙ୍କୁ ଇରାନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଏହାସହିତ ସେ ତେହେରାନର ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ଯେ ଏପରି କୌଣସି ଯାଞ୍ଚ ବ୍ୟବସ୍ଥା ଉପରେ ସହମତ ହୋଇନାହିଁ। ଅନ୍ୟପଟେ ଇରାନ ଜାତିସଂଘର ଅଧିକାରୀମାନଙ୍କୁ ବୋମା ବିଛାଡ଼ି ପରମାଣୁ ସ୍ଥାନକୁ ନେବାର କୌଣସି ଯୋଜନାକୁ ଅସ୍ୱୀକାର କରିଛି। ତେବେ ଟ୍ରମ୍ପ ମଧ୍ୟ ତଦାରଖର ପରିସର ଉପରେ ପ୍ରଶ୍ନ ଉଠାଇ ଇରାନୀ ଅଧିକାରୀଙ୍କ ଦାବିକୁ ଖାରଜ କରିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ, ଇରାନ ଆଲୋଚନା ହେଉଥିବା ଚୁକ୍ତିର ସମସ୍ତ ସର୍ତ୍ତାବଳୀ ବିଷୟରେ ସମ୍ପୂର୍ଣ୍ଣ ଅବଗତ। ତଦାରଖ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଥିବା ଇରାନୀ ପକ୍ଷର ରିପୋର୍ଟ ଏବଂ ବିବୃତ୍ତିକୁ ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି ଯେ, ସେମାନେ ଜାଣନ୍ତି ଯେ ସେମାନେ ଭୁଲ ଏବଂ ଯଦି ସେମାନେ ଠିକ୍ ଥାଆନ୍ତେ ମୁଁ ବର୍ତ୍ତମାନ ବୈଠକଗୁଡ଼ିକୁ ବାତିଲ କରିଥାନ୍ତି।
ସ୍ୱିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଉପରେ ଆଲୋଚନା ଚାଲିଥିବା ସମୟରେ ଏହି ବିବାଦ ଦେଖାଦେଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଗତବର୍ଷ ଆମେରିକା ଦ୍ୱାରା ବୋମା ମାଡ଼ କରାଯାଇଥିବା ପରମାଣୁ ସ୍ଥାନଗୁଡ଼ିକର ଯାଞ୍ଚ ପାଇଁ କୌଣସି ସମୟ ସ୍ଥିର କରାଯାଇ ନାହିଁ। ଏହି ସବୁ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
