କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ସୋନିଆଙ୍କ ନିଷ୍ପତ୍ତି ଅପେକ୍ଷାରେ ଗେହଲଟ୍, ଆଜି ନାମାଙ୍କନ ଭରି ପାରନ୍ତି ଦିଗବିଜୟ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ପଦବୀକୁ ନେଇ ଏବେ ମଧ୍ୟ ଦ୍ଵନ୍ଦ ଜାରି ରହିଛି। ବୁଧବାର ବିଳମ୍ବିତ ରାତିରେ ଅଶୋକ ଗେହଲଟ୍ ଜୟପୁରରୁ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଆଜି ସୋନିଆ ଗାନ୍ଧିଙ୍କୁ ଭେଟିବେ। ସେପଟେ ଅଧ୍ୟକ୍ଷ ପଦ ପାଇଁ ନୂଆ ପ୍ରତିଦ୍ୱନ୍ଦୀ ଭାବେ ଦିଗବିଜୟ ସିଂ ଉଭା ହୋଇଛନ୍ତି। ଦିଗବିଜୟ ଆଜି ନାମାଙ୍କନ ଦାଖଲ କରି ପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଥିବା ବେଳେ ଏଯାଏଁ କିଏ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହେବେ ତାହା ଦଳ ସ୍ଥିର କରିପାରି ନାହିଁ। ଏବେ ସମସ୍ତଙ୍କ ନଜର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପରେ ରହିଛି।

ରାଜସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ବିରୋଧରେ ବିଧାୟକଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟ ଓଲଟପାଲଟ ହୋଇଯାଇଛି। ଅଶୋକ ଗେହଲଟଙ୍କ ଏହି କାର୍ଯ୍ୟ କଂଗ୍ରେସରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି ଯେ ରାଜସ୍ଥାନରେ ଘଟିଥିବା ଘଟଣାକୁ ଅଣଦେଖା କରି ସୋନିଆ ଗାନ୍ଧି ଗେହଲଟଙ୍କୁ ଆଉ ଏକ ସୁଯୋଗ ଦେବେ କି? ରାଜସ୍ଥାନ କାରଣରୁ କଂଗ୍ରେସରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି, କିନ୍ତୁ ଅଶୋକ ଗେହଲଟ୍ ଏଥିରେ କୌଣସି ବଡ଼ ଡିଲ୍ ଦେଖୁନାହାଁନ୍ତି। କିଛିଦିନ ପୂର୍ବରୁ ଅଶୋକ ଗେହଲଟ୍ ଅଧ୍ୟକ୍ଷ ପଦ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବିବେଚିତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ଚିତ୍ର ବଦଳି ଯାଇଛି।

ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଆଜି କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି। ବୁଧବାର ଦିନ ସେ ଏକ କବିତା ମାଧ୍ୟମରେ ଦାବି କରିଛନ୍ତି ଯେ ତାଙ୍କ ପ୍ରାର୍ଥୀତ୍ୱ ପାଇଁ ସମର୍ଥନ ବଢୁଛି। କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ଉପରେ ମଧ୍ୟ ଆଲୋଚନା ହେଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖଡଗେଙ୍କ ନାମରେ ସୋନିଆ ଗାନ୍ଧିଙ୍କୁ କୌଣସି ଆପତ୍ତି ନାହିଁ।

Related Posts