ଲକ୍ଷ ଲକ୍ଷ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ବଦଳାଯାଉ ଏଏସ୍ଓ‌ ପରୀକ୍ଷା ତାରିଖ

ଭୁବନେଶ୍ୱର- ସରକାରୀ ଚାକିରୀ ନାଁରେ ମ୍ୟାଚ୍‌ ଫିକ୍ସିଂ କରୁଛନ୍ତି ରାଜ୍ୟ ସରକାର । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ପରୀକ୍ଷା ତାରିଖକୁ ନେଇ ସରକାରଙ୍କୁ ଏଭଳି ସମାଲୋଚନା କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏହି ତାରିଖକୁ ନେଇ ଆପତ୍ତି ଉଠାଇଛନ୍ତି ।

ଜାନୁଆରୀ ୨୦ ତାରିଖରେ ରେଲୱେ ରିକ୍ରୁଟ୍‌ମେଣ୍ଟ ବୋର୍ଡ ପରିଚାଳନା କରୁଥିବା ସହାୟକ ଲୋକୋ ପାଇଲଟ୍ ପାଇଁ ମୁଖ୍ୟ ପରୀକ୍ଷା ହେବ ବୋଲି ବହୁ ପୂର୍ବରୁ ସ୍ଥିରୀକୃତ ହୋଇଛି ଏବଂ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ସେବା ସଂପର୍କିତ ସର୍ବ ଭାରତୀୟ ସ୍ତରର ପରୀକ୍ଷା ଯାହାକୁ ଆଇ.ବି.ପି.ଏସ୍. ପରିଚାଳନା କରୁଛି ତାହାର ପରୀକ୍ଷା ମଧ୍ୟ ସମାନ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଦୁଇଟି ସର୍ବ ଭାରତୀୟ ସ୍ତରର ମୁଖ୍ୟ ପରୀକ୍ଷା ପାଇଁ ଓଡିଶାର ୧୦ ହଜାରରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଏମାନେ ସମସ୍ତେ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ଦୃଢ଼ ଆଶାବାଦୀ ଅଛନ୍ତି । ଏଭଳି ସମୟରେ ତରବରିଆ ଭାବେ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏଏସ୍ଓ‌ ପରୀକ୍ଷା ସେହିଦିନ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଏହାଦ୍ୱାରା ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଯୋଗଦେବାକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଏଏସ୍ଓ‌ ପରୀକ୍ଷାରେ ଯୋଗଦେଇ ପାରିବେ ନାହିଁ ଏବଂ ତା ବଦଳରେ ପ୍ରୀୟାପ୍ରୀତି ତୋଷଣ କରି ନିଜ ଲୋକମାନଙ୍କୁ ଥଇଥାନ କରାଯିବାକୁ ବ୍ୟବସ୍ଥା ହୋଇଥିବା କଂଗ୍ରେସ କହିଛି । ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏହି ପରୀକ୍ଷାର ତାରିଖ ବଦଳାଇବାକୁ କଂଗ୍ରେସ ଦାବି କରିଛି ।

Related Posts