ଟେଣ୍ଡର ଫିକ୍ସିଂର ନୂଆ ଏପିସୋଡ୍ ‘କାଳିଆ’ !

ଭୁବନେଶ୍ୱର- ଟେଣ୍ଡର ଉଠିନି କିନ୍ତୁ ମିଳିଗଲାଣି ଟେଣ୍ଡର । ଅବଶ୍ୟ କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି କଥାଟି କିନ୍ତୁ ସତ । ଏଭଳି ଏକ ସଂଗୀନ ପ୍ରସଙ୍ଗ ଉଠାଇଛି ରାଜ୍ୟ କଂଗ୍ରେସ । କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇଛନ୍ତି ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।

‘କାଳିଆ’ ଯୋଜନାରେ ପ୍ରଚାର ପ୍ରସାର ପାଇଁ ଆଇଇସି ମ୍ୟାଟେରିଆଲ (ପୋଷ୍ଟର ଓ ବ୍ୟାନର) ଛପାଇବାକୁ ଆଗ୍ରହୀ ସଂସ୍ଥା ମାନଙ୍କ ଠାରୁ ଟେଣ୍ଡର ଆହ୍ୱାନ କରିଥିଲେ ରାଜ୍ୟ ସରକାର । ୧୧ ଜାନୁଆରୀ ଅର୍ଥାତ ଆଜି ଅପରାହ୍ନ ୩ଘଟିକା ପୂର୍ବରୁ ଆସିଥିବା ଟେଣ୍ଡର ଗୁଡିକୁ ଅପରାହ୍ନ ୪ଟାରେ ଖୋଲା ଯାଇଥାନ୍ତା । ପ୍ରଥମେ ଏହାର ଆବେଦନ ସମୟ ଜାନୁଆରୀ ୮ତାରିଖ ଅପରାହ୍ନ ୪ଘଟିକା ଥିବା ବେଳେ ପରବର୍ତ୍ତୀ ମୁହୁର୍ତ୍ତରେ ଏହାକୁ ଆଜିକୁ ଘଂଚାଯାଇଥିଲା । ପ୍ରସ୍ତାବିତ ସମୟ ଅନୁସାରେ ଅପରାହ୍ନ ୪ଟାରେ ଟେଣ୍ଡର ଖୋଲି ସ୍ଥିରୀକୃତ ସଂସ୍ଥାକୁ କାର୍ଯ୍ୟଦେଶ ଦିଆଯିବା କଥା । କିନ୍ତୁ ଏହା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଛାପାଖାନାରେ କାଳିଆ ଯୋଜନାର ପୋଷ୍ଟର ଛପା ଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ । ଟେଣ୍ଡର ଫିକ୍ସିଂ କରାଯାଇ ଏଭଳି ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ କାର୍ଯ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ଆହ୍ୱାନ କେବଳ ନାମକୁ ମାତ୍ର କିନ୍ତୁ ପୂର୍ବରୂ ଏହାର କାର୍ଯ୍ୟାଦେଶ ଦିଆଯାଇ ସାରିଥିବା ଅଭିଯୋଗ କରିଛି କଂଗ୍ରେସ ।

ତେବେ ଏହା କେଉଁ ସ୍ଥାନର ଛାପାଖାନା ଓ ଏହାକୁ କିଏ ଛାପୁଛି ତାହା ଜଣାପଡୁନାହିଁ । ଏପରିକି ଏହି ଭିଡିଓକୁ ଛାପାଖାନା ଭିତରୁ କିଏ ସୁଟିଂ କରି ଭାଇରାଲ କରିଛି ତାହା ବି ଜଣାପଡିନାହିଁ । ତେଣୁ ଏହି ଭିଡିଓର ସତ୍ୟାସତ୍ୟ ମଧ୍ୟ ଯାଂଚ କରିବା ଜରୁରୀ ବୋଲି କୁହାଯାଉଛି ।

Related Posts