ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଘୋଷଣା ପତ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୋଟିଏ ପଟେ ଆଜି ହିମାଚଳ ବିଧାନସଭା ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଅନ୍ୟପଟେ ଆଗକୁ ଥିବା ଗୁଜରାଟ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜ ପ୍ରସ୍ତୁତି ଚଳାଇଛନ୍ତି। ସବୁ ଦଳ ଭୋଟର ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ମାନ ଘୋଷଣା କରୁଛନ୍ତି। ଏହି କ୍ରମରେ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ଗୁଜରାଟ ନିର୍ବାଚନ ପାଇଁ ଏକ ଘୋଷଣାପତ୍ର ଜାରି କରାଯାଇଛି । ଏହି କ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଗୁଜୁରାଟ ନିର୍ବାଚନ ପାଇଁ ଦଳର ପ୍ରଭାରୀ ଅଶୋକ ଗେହଲଟ ଏହି ଘୋଷଣାପତ୍ର ଜାରି କରିଛନ୍ତି ।

ଏଥିରେ ପ୍ରମୁଖ ପ୍ରତିଶ୍ରୁତି ଭାବେ ଦଳ କ୍ଷମତାକୁ ଫେରିଲେ ରାଜ୍ୟର ୧୦ ଲକ୍ଷ ବେକାର ଯୁବକଯୁବତୀମାନଙ୍କୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହାସହ କୃଷକମାନଙ୍କ ଉପରେ ମଧ୍ୟ ଫୋକସ କରାଯାଇଛି ।

ଅହମ୍ମଦାବାଦରେ ଆଜି ଅଶୋକ ଗେହଲଟ ଘୋଷଣାପତ୍ର ଜାରି କରି କୃଷକମାନଙ୍କୁ ଋଣ ଛାଡ ଓ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଯାହା କଥା ଦିଅନ୍ତି ତାହା ପୁରଣ କରନ୍ତି । ରାଜ୍ୟର ୬ ଲକ୍ଷ ଲୋକଙ୍କ ମତକୁ ନେଇ ଏହି ଘୋଷଣାପତ୍ର ପ୍ରସ୍ତୁତ କରାଯାଇଥିବା କଥା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ମାସ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଓ ଏନସିପି ମଧ୍ୟରେ ମେଣ୍ଟ ହୋଇଛି । ଶରଦ ପାୱାରଙ୍କ ଦଳ ଏନସିପି ଗୁଜରାଟର ୩ ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ରାଜ୍ୟରେ ୨ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ଓ ନିର୍ବାଚନୀ ଫଳାଫଳ ଘୋଷଣା ହେବ।

Related Posts