ଦେଶର ସ୍ଵାଧୀନତା ପାଇଁ କଂଗ୍ରେସ ବଳିଦାନ ଦେଇଛି, ସେତେବେଳେ ମୋଦି-ଶାହା ଜନ୍ମ ହୋଇନଥିଲେ: ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ‘କଶ୍ମୀରରେ ବିଗତ ୭୦ ବର୍ଷରେ କୌଣସି ବିକାଶ ହୋଇନାହିଁ’ ଅମିତ୍ ଶାହାଙ୍କ ଏଭଳି ମନ୍ତବ୍ୟର ଜବାବ ଦେଇ ଖଡଗେ କହିଛନ୍ତି ଯେ, ମୋଦି ଏବଂ ଶାହା ଦେଶକୁ ସ୍ବାଧୀନତା ଦେଇଛନ୍ତି କି? ଯେତେବେଳେ ଏହି ଦୁଇଜଣ ଜନ୍ମ ହୋଇନଥିଲେ, ସେତେବେଳେ ଦେଶ ସ୍ବାଧୀନ ହୋଇଥିଲା। ଦେଶକୁ ସ୍ବାଧୀନତା ଦେବାରେ କଂଗ୍ରେସର ବଳିଦାନ ଦେଇଛି। ଅମିତ ଶାହା ଯେଉଁଠାକୁ ଯାଆନ୍ତି, ସେ କେବଳ ଦେଶକୁ ଭାଙ୍ଗିବା ବିଷୟରେ ମନ୍ତବ୍ୟ ଦିଅନ୍ତି। ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶ ପାଇଁ ବଳିଦାନ ଦେଇଛନ୍ତି, ତୁମର ଦେଶ ପାଇଁ କ’ଣ ବଳିଦାନ ରହିଛି ? ଯଦି ଏତେ ବର୍ଷ ଧରି କିଛି ହୋଇ ନ ଥିଲା, ତେବେ ଶେଷରେ ଏତେ ସଂଖ୍ୟାରେ ଏମ୍ସ, ଏତେ ଡାକ୍ତର, ଇଞ୍ଜିନିୟର କେଉଁଆଡ଼ୁ ଆସିଲେ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ କଶ୍ମୀର ଗସ୍ତ ସମୟରେ ଉଦବୋଧନ ଦେଇ କହିଥିଲେ ଯେ, ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ କଶ୍ମୀରର କୌଣସି ବିକାଶ ହୋଇନାହିଁ। ଏଥିପାଇଁ ସେ ଦେଶରେ ବିଗତ ଦିନରେ ଥିବା କଂଗ୍ରେସର ସରକାରକୁ ଦାୟୀ କରିଥିଲେ। ଏହାର ଜବାବରେ ମଲ୍ଲିକାର୍ଜୁନ ଖଡଗେ ଏହି ବିବୃତ୍ତି ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ଖଡଗେ ଏବେ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ନିଜର ଦିନିକିଆ ଗସ୍ତ ସମୟରେ ସେ ଶ୍ରୀନଗର ଏବଂ ଜମ୍ମୁରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Related Posts