ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଫିସ୍ ରେ ହାଜର ହୋଇଥିବା କଂଗ୍ରେସ୍ ନେତା ରାହୁଲ ଗାନ୍ଧି ବାହାରକୁ ଆସିଛନ୍ତି । ଦୀର୍ଘ ୩ ଘଣ୍ଟାର ଜେରା ପରେ ବାହାରକୁ ବାହାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଶହ ଶହ କଂଗ୍ରେସ କର୍ମୀମାନଙ୍କ ‘ଜିନ୍ଦାବାଦ୍’ ଧ୍ବନିରେ ମୁଖରିତ ବାତାବରଣରେ ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ। ସେଠାରେ ପଚରାଉଚରା ସରିବା ପରେ ରାହୁଲ ଅଫିସ୍ରୁ ବାହାରି ଆସିଥିବା ସୂଚନା ରହିଛି।
ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯାଇଥିଲେ। ‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ୫/୬ ଘଣ୍ଟା ଜେରା କରାଯାଇପାରେ ବୋଲି ବିଶ୍ବସ୍ତସୂତ୍ରରୁ ପ୍ରକାଶ ପାଇଥିଲା। ମାତ୍ର ୩ ଘଣ୍ଟାର ଜେରା ପରେ ରାହୁଲଙ୍କୁ ଛାଡ଼ି ଦିଆଯାଇଛି।
ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରଶ୍ନଗୁଡ଼ିକର ସତ ସତ ଉତ୍ତର ଦେବେ ବୋଲି ରାହୁଲ୍ ଗାନ୍ଧୀ ଶପଥ ନେବା ପରେ ପଚରାଉଚରା କାର୍ଯ୍ୟ ଆରମ୍ଭ ହୋଇଥିଲା।
ପ୍ରବର୍ତ୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍ଙ୍କ ବୟାନ ରେକର୍ଡ କରିଛନ୍ତି। ‘ପିଏମ୍ଏଲ୍ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ତ୍ବାବଧାନ କରିଥିଲେ ଓ ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍ କରିଥିଲେ ବୋଲି ସୂଚନା ରହିଛି।
