ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପେଗମ୍ବରଙ୍କୁ ନେଇ ନୁପୁର ଶର୍ମା ବିବାଦୀୟ ବୟାନ ଦେବା ପରେ ସାରା ଦେଶରେ ଏହାକୁ ନେଇ ପ୍ରତିବାଦ କରିଯାଉଛି । ଏହା ମଧ୍ୟରେ ପ୍ରଶାସନର କଡ଼ା ଚେତାବନୀ ସତ୍ତ୍ବେ ଆଜି ସକାଳେ ଉତ୍ତର ୨୪ ପ୍ରଗଣାର ବାରାସତରେ ରେଳ ଅବରୋଧ କରାଯାଇଛି। ପ୍ରଫେଟ୍‌ ମହମ୍ମଦ୍‌ଙ୍କ ବିଷୟରେ ନୂପୁର ଶର୍ମା ଦେଇଥିବା ମନ୍ତବ୍ୟ ଯୋଗୁଁ ଦେଶର କେତେକ ପ୍ରାନ୍ତରେ ଚାଲିଥିବା ପ୍ରତିବାଦର ଅଂଶ ଭାବେ ଦଳେ ପ୍ରତିବାଦକାରୀ ବାରାସତ୍‌ର କାଜିପଡ଼ା ନିଟକ ରେଳ ଧାରଣା ଉପରେ ନିଆଁ ଜାଳି ପ୍ରତିବାଦ କରିଥିଲେ। ଏଥିଯୋଗୁଁ, ସିଆଲ୍‌-ହସନାବାଦ୍‌ ସେକ୍ସନ୍‌ରେ ଆଜି ସକାଳୁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ସପ୍ତାହର ପ୍ରଥମ କାର୍ଯ୍ୟ ଦିବସରେ ଏଭଳି ଅବରୋଧ ଯାତ୍ରୀମାନଙ୍କ ପାଇଁ ଉତ୍କଟ ସମସ୍ୟାର କାରଣ ହୋଇଥିଲା। ଫଳରେ ସଡ଼କପଥରେ ଯାନବାହନ ଚଳାଚଳ ହଠାତ୍‌ ବୃଦ୍ଧି ପାଇଥିଲା। ସେପଟେ ପ୍ରାୟ ଅଧଘଣ୍ଟା ପରେ ଅବଶ୍ୟ ବାରାସତ୍‌ ପୁଲିସ ଅବରୋଧ ହଟାଇ ଥିଲା।

ଅନ୍ୟପଟେ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିବାଦକାରୀମାନଙ୍କୁ କଡ଼ା ଚେତାବନୀ ଦେଇଥିଲେ। ସେ କହିଥିଲେ, ଯେଉଁମାନେ ପ୍ରତିବାଦ କରିବାକୁ ଇଚ୍ଛୁକ, ସେମାନେ ଦିଲ୍ଲୀ ଯାଆନ୍ତୁ। ଏଠି ରାସ୍ତା ଅବରୋଧ କରି ସାଧାରଣ ଜନତାଙ୍କୁ ଅସୁବିଧାରେ ପକାନ୍ତୁ ନାହିଁ। ସେପଟେ ଦିଲ୍ଲୀ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ଅନେକ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ହାଓଡ଼ାର ବିଭିନ୍ନ ପ୍ରାନ୍ତ‌ରେ ରେଳ ଓ ସଡ଼କ ପଥ ଅବରୋଧ କରାଯିବା ପରେ ରବିବାର ଦିନ ନଦିଆରେ ମଧ୍ୟ ଅସ୍ଥିରତା ଦେଖା ଦେଇଥିଲା। ବେଥୁଆଦ‌ାହାରି ଥାନା ନିକଟରେ ଆୟୋଜିତ ପ୍ରତିବାଦରେ ହଜାର ହଜାର ଲୋକ ଭାଗ ନେଇଥିଲେ। ପ୍ରତିବାଦକାରୀମ‌ାନେ ରାସ୍ତା ଅବରୋଧ କରିବା ସହିତ ଟେକାପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାର ଦେଶର ରାଜନୈତିକ ମହୋଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।