ଟୁଇଟରର ଅଭିଯୋଗ; ରାହୁଲ ଗାନ୍ଧୀଙ୍କ ଟୁଇଟ କଂପାନୀ ନିୟମର ଉଲ୍ଲଂଘନ କରିଛି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ‘କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ବିଟ ଆମ ନିୟମର ଉଲ୍ଲଂଘନ କରିଛି। ‘ ଏକ ପିଆଇଏଲ ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଜଣାଇଛି ଯେ କଂଗ୍ରେସ ନେତା ଟ୍ୱିଟର ନୀତି ଉଲ୍ଲଂଘନ କରିଛନ୍ତି। ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାରର ଫଟୋ ଟ୍ବିଟ୍ କରି ସେମାନଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା ।

ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ଶିଶୁ ସୁରକ୍ଷା କମିଶନ ଏବଂ ପୋଲିସକୁ ନିର୍ଦ୍ଦେଶ ଦେବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀର ନଙ୍ଗାଲ ଗାଁରେ ଜଣେ ୯ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଏହା ମଧ୍ୟରେ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳର ଫଟୋକୁ ପରବର୍ତ୍ତୀ ଅବସ୍ଥାରେ ଟ୍ୱିଟ କରିଥିଲେ। ଉକ୍ତ ଫଟୋ ଦ୍ୱାରା ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଥିଲା। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା। 

ଆବେଦନରେ ସାମାଜିକ କାର୍ଯ୍ୟକର୍ତ୍ତା ମକରନ୍ଦ ସୁରେଶ ମାଡଲେକର ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିବାରର ଫଟୋ ସେୟାର କରି ନାବାଳିକା ଜଷ୍ଟିସ ଆକ୍ଟ ଏବଂ ଶିଶୁମାନଙ୍କୁ ଯୌନ ଅପରାଧରୁ ରକ୍ଷା କରିବା ଆଇନର ଉଲ୍ଲଂଘନ କରିଛନ୍ତି। ଉଭୟ ଆଇନରେ ପ୍ରାବଧାନ ରହିଛି ଯେ ଅପରାଧର ଶିକାର ହୋଇଥିବା ଶିଶୁର ପରିଚୟ ପ୍ରକାଶ କରାଯାଇପାରିବ ନାହିଁ।

 ରାହୁଲ ଗାନ୍ଧୀ ଗତ ବୁଧବାର ଦିନ ନାବାଳିକାର ପରିବାରକୁ ଭେଟିଥିଲେ ଏବଂ ସେମାନଙ୍କ ନ୍ୟାୟ ପାଇଁ ସେ ଲଢେଇ ଜାରି ରଖିବେ ବୋଲି କହିଥିଲେ। ରାହୁଲ ଗାନ୍ଧୀ ତାଙ୍କ କାର ଭିତରେ ବସିଥିବା ନାବାଳିକା ଝିଅର ପରିବାର ସହ କଥା ହୋଇଥିଲେ।  ଏହା ପରେ ସେ ସୋସିଆଲ ମିଡିଆରେ ସେହି ଫଟୋ ସେୟାର କରିଥିଲେ। ଅନ୍ୟ ପକ୍ଷରେ ଏହି ଘଟଣାକୁ କେନ୍ଦ୍ର କରି ଜଣେ ବିଜେପି ନେତା ରାହୁଲ ଗାନ୍ଧି ଓ ଟ୍ୱିଟର ବିରୋଧରେ ଅପରାଧିକ ଅଭିଯୋଗ ଜୟପୁର ସେସନ୍ସ କୋର୍ଟରେ ଦାଖଲ କରିଛନ୍ତି।

Related Posts