ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ , ରାଜ୍ୟସଭାରେ କେବଳ ଓବିସି ବିଲ୍ ଉପରେ ହେବ ଭୋଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ସରିଲା ଲୋକସଭା ଅଧିବେଶନ। ବୁଧବାର ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହରକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମୌସୁମୀ ଅଧିବେଶନ ଜୁଲାଇ ୧୯ ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବା ନେଇ ସ୍ଥିର କରାଯାଇଥିଲା, କିନ୍ତୁ ଲୋକସଭାକୁ ଧାର୍ଯ୍ୟ ସମୟର ଦୁଇ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି।  କେବଳ ଏତିକି ନୁହେଁ, ରାଜ୍ୟସଭାରୁ ଓବିସି ସଂରକ୍ଷଣ ସମ୍ପର୍କିତ ବିଲ୍ ପାସ୍ କରିବା ପରେ ଆଗାମୀ ଅଧିବେଶନ ପର୍ଯ୍ୟନ୍ତ ଉଚ୍ଚ ସଦନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଚଳିତ ଅଧିବେଶନରେ ପେଗାସସ୍ ମାମଲା, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁଁ ସମଗ୍ର ଅଧିବେଶନରେ ଗୃହକାର୍ଯ୍ଯ ବ୍ୟାହତ ହୋଇଥିଲା । ଏହି ଅଧିବେଶନରେ ମୋଟ୍ ୨୨ ପ୍ରତିଶତ କାର୍ଯ୍ୟ କରାଯାଇଥିଲା।  ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ୧୭ ତମ ଲୋକସଭାର ଷଷ୍ଠ ବୈଠକ ୧୯ ଜୁଲାଇ ୨୦୨୧ ରେ ଆରମ୍ଭ ହୋଇଥିଲା ଏବଂ ୨୧ ଘଣ୍ଟା ୧୪ ମିନିଟର କାର୍ଯ୍ୟ କରାଯାଇଥିଲା।

 ଲୋକସଭା ବାଚସ୍ପତି ଓମ ବିର୍ଲା ଏହି ଅଧିବେଶନ ସମ୍ପର୍କରେ କହିଛନ୍ତି ଯେ ଗୃହର କାର୍ଯ୍ୟ ଆଶା ଅନୁରୂପ ହୋଇ ପାରିଲା ନାହିଁ। ଓମ୍ ବିର୍ଲା କହିଛନ୍ତି ଯେ ବ୍ୟାଘାତ ହେତୁ ୯୬ ଘଣ୍ଟାରେ ପ୍ରାୟ ୭୪ ଘଣ୍ଟା କାମ ହୋଇପାରିଲା ନାହିଁ।  ବାଚସ୍ପତି କହିଛନ୍ତି ଯେ ଗୃହକାର୍ଯ୍ୟ କ୍ରମାଗତ ବ୍ୟାଘାତ ହେତୁ କେବଳ ୨୨ ପ୍ରତିଶତ କାର୍ଯ୍ୟ ହୋଇଛି। ସେ କହିଛନ୍ତି ଯେ ଅଧିବେଶନରେ ସମ୍ବିଧାନ ୧୨୭ ତମ ସଂଶୋଧନ ବିଲ୍ ସହିତ ମୋଟ ୨୦ ଟି ବିଲ୍ ପାରିତ ହୋଇଛି। ଏହି ଅଧିବେଶନରେ ଚାରିଜଣ ନୂତନ ସଦସ୍ୟ ଶପଥ ନେଇଥିଲେ।  ବିର୍ଲା କହିଛନ୍ତି ଯେ ମୌସୁମୀ ଅଧିବେଶନରେ ୬୬ ତାରକା ପ୍ରଶ୍ନର ମୌଖିକ ଉତ୍ତର ଦିଆଯାଇଥିଲା ଏବଂ ଧାରା ୩୭୭ ଅନୁଯାୟୀ ସଦସ୍ୟମାନେ ୩୩୧ ଟି ପ୍ରସଙ୍ଗ ଉଠାଇଥିଲେ।

ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଚଳିତ ଅଧିବେଶନରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଦ୍ୱାରା ୬୦ ଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା, ୨୨ ଜଣ ମନ୍ତ୍ରୀ ବିବୃତ୍ତି ଦେଇଥିଲେ ଏବଂ ବହୁ ସଂଖ୍ୟକ ଦଲିଲ ରଖାଯାଇଥିଲା। ଅଧିବେଶନରେ ଅନେକ ଆର୍ଥିକ ଏବଂ ବିଧେୟକ କାର୍ଯ୍ୟ କାର୍ଯ୍ୟକାରୀ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।  ଏହାପୂର୍ବରୁ ବିର୍ଲା ଚାରିଜଣ ପୂର୍ବତନ ସଦସ୍ୟଙ୍କ ଦେହାନ୍ତ ବିଷୟରେ ଗୃହକୁ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଭାଷଣ ପରେ ବନ୍ଦେ ମାତାରମ ଧ୍ବନି ସମେତ ଗୃହକୁ ସ୍ଥଗିତ ରଖାଯାଇଥିଲା।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବହୁ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Related Posts