(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସ୍ମାର୍ଟସିଟି ମିସନ ଅନ୍ତର୍ଗତ ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବାର ସ୍ୱପ୍ନ ଦେଖାଇ ଥିଲେ ରାଜ୍ୟ ସରକାର। କିନ୍ତୁ ଏବେ ଭାଙ୍ଗି ରୁଜି ଗଲାଣି, କେବଳ ଖଣ୍ଡିଆ ଟିଣ ଟିଏ ଥୁଆ ହୋଇଛି । ୩୦ ମାସ ଭିତରେ କାମ ସାରିବାକୁ କହିଥିଲେ ହେଲେ ୨୨ ମାସ ପୁରିଲାଣି , ଆଉ କେବେ ହେବ ବିଶ୍ୱସ୍ତରୀୟ ରେଳଷ୍ଟେସନ ? ଆଜି ବିଧାନସଭାରେ ଏହି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
କିନ୍ତୁ ମନ୍ତ୍ରୀ ଏହି ପ୍ରସଙ୍ଗରେ ଚିରାଚରିତ ଢଙ୍ଗରେ କେନ୍ଦ୍ର ସରକାରଙ୍କ ଆଡକୁ ଦୋଷ ଠେଲି ଦେଇଛନ୍ତି। ସୁରଙ୍କ ଏହି ପ୍ରଶ୍ନର ଉତ୍ତର ରଖି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନର ବିକାଶ କରାଯାଉଛି । ପ୍ଲାଟଫର୍ମ ନଂ ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଯାଇଛି ।
ସେ କେନ୍ଦ୍ର ରେଳ ବିଭାଗ ଆଡକୁ ଦୋଷ ଠେଲି କହିଛନ୍ତି ଯେ, ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ବି ରେଳ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଷ୍ଟେସନର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, କୋଭିଡ ସ୍ଥିତି ପାଇଁ ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିଅରାନ୍ସ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁବନେଶ୍ୱର ରେଳଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ। ମଲ ଓ ମାର୍କେଟ କମ୍ପ୍ଲେକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ।
୧୯ ମହଲା ବିଲ୍ଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କ୍ଲିଅରାନ୍ସ ମିଳି ସାରିଛି , ପ୍ଲାନ ଓ ଡିଜାଇନ ବି ଶେଷ ହୋଇଛି। ତେବେ ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ ଓ ପାରିପାର୍ଶ୍ୱିକ ଭିତ୍ତିଭୂମିର ବିକାଶ କରିବେ ରାଜ୍ୟ ସରକାର ବୋଲି ମନ୍ତ୍ରୀ ଉତ୍ତରରେ ରଖିଛନ୍ତି।