କରୋନାର ଲକ୍ଷଣ ଥିଲେ ସ୍କୁଲ ନ ଆସନ୍ତୁ ଛାତ୍ରଛାତ୍ରୀ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : କରୋନା ସଂକ୍ରମଣରେ କିଛିଟା ହ୍ରାସ ପାଇଥିଲେ ମଧ୍ୟ ସ୍କୁଲରେ କରୋନା ସଂକ୍ରମଣ ବଢୁଥିବା ମାମଲା ସାମ୍ନାକୁ ଆସୁଛି। ଏ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗରୁ ଏହି ଆଶଙ୍କା କରାଯାଉଥିଲା। ବଢୁଥିବା ସଂକ୍ରମଣକୁ ନଜରରେ ରଖି କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହୋଇଛନ୍ତି ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ । 

ଏହାର ଅଲଗା ବାଟ ଆଉ କିଛି ନାହିଁ କେବଳ ସର୍ଭିଲାନ୍ସ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । କୋଭିଡ କଟକଣା କଡାକଡି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ସ୍କୁଲକୁ ସ୍ୱତନ୍ତ୍ର ଭାବେ ଅନୁଧ୍ୟାନ କରିବାକୁ ହେବ ଏବଂ ଯଦି କାହା ପାଖରେ କରୋନାର ଲକ୍ଷଣ ଦେଖାଯାଉଛି ତେବେ , ସେହି ଛାତ୍ରଛାତ୍ରୀମାନେ ସ୍କୁଲ ନ ଆସନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

ତୃତୀୟ ଲହର ଛୁଆଙ୍କ ପାଇଁ ଘାତକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏନେଇ ଅଭିଭାବକମାନେ ଟିକିଏ ଭୟଭୀତ ହୋଇ ପଡିଛନ୍ତି। ଏପରିକି କିଛି ଦିନ ହେବ ୧୮ ବର୍ଷରୁ କମ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ସେଥିରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୩ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି।ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୬୬ ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ରାଜ୍ୟରେ ଆଇସିୟୁରେ ମାତ୍ର ୦.୨ ପ୍ରତିଶତ ପିଲା ଅଛନ୍ତି, ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି ବୋଲି ଜଣାପଡିଛି । ହସପିଟାଲାଇଜେସନ୍ ରେଟରୁ ଜଣାପଡ଼ୁଛି ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ ଏବଂ ଆର୍ ଭାଲ୍ୟୁ ଭୁବନେଶ୍ବର ଓ କଟକରେ ୧ ଅଛି। 

Related Posts