
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ଦୁର୍ନିତୀ ମାମଲାକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱର ପଡ଼ୁଛି ଉଠୁଛି। ଦୁର୍ନୀତିକୁ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ବିଧାନସଭା ଘେରାଉ କରାଯାଇଛି । ନିଯୁକ୍ତିରେ ବ୍ୟାପକ ଜାଲିଆତି ଅଭିଯୋଗ କରି ଛାତ୍ର କଂଗ୍ରେସ ପ୍ରତିବାଦ କରିଛି ।
ଅଧିବେଶନ ଚାଲିଥିବା ବେଳେ ବିଧାନସଭା ଘେରାଉ କରିବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏହି ସମୟ ମଧ୍ୟରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପଜିଛି ।
କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ଯିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୋଲିସ୍ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଛାତ୍ର କଂଗ୍ରେସ କର୍ମୀ ମାନେ ବାରିକେଡ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଏହି ରାଲିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବି କରି କଂଗ୍ରେସ କର୍ମୀ ମାନେ ନାରା ଦେଇଥିଲେ। ସେମାନେ ଦାବି କରିଛନ୍ତି ଯେ, ଜଣେ କିରାଣି (ବିରଞ୍ଚି ନାରାୟଣ ସାହୁ)ଙ୍କୁ ଗିରଫ କରି ସରକାର ନିଜ ଦାୟିତ୍ୱ ସାରି ଦେଲେ ଚଳିବ ନାହିଁ ।
ତେବେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ରାଜରାସ୍ତାରେ ଏଭଳି ପରିସ୍ଥିତି ଲାଗି ରହିଥିଲା। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଭଳି ବିକ୍ଷୋଭ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି । ଏପଟେ ଉତ୍ତେଜିତ ଛାତ୍ରଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଅନେକ ଛାତ୍ର କଂଗ୍ରେସ ନେତାଙ୍କୁ ପୋଲିସ ଉଠାଇ ନେଇଥିଲା। ଏଥି ସହିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ।