ଶର୍ମାଙ୍କ ବିରୋଧରେ ତଦନ୍ତ ଡ୍ରାମା; ତୃତୀୟ ମହଲା ଇସାରାରେ ହୋଇଛି ମାରିକଙ୍କ ଲୋକପାଳ ରିପୋର୍ଟ ଚୋରି: କଂଗ୍ରେସ

ଭୁବନେଶ୍ୱର: ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ଡି.ଜି. ପୋଲିସମାନଙ୍କ ବିରୁଦ୍ଧରେ ଚଲାଉଥିବା ତଦନ୍ତ କେବଳ ଲୋକ ଦେଖାଣିଆ । ଗୋଟିଏ ପଟେ ନବୀନ ବାବୁଙ୍କ ସରକାର ବରିଷ୍ଠ ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କୁ ବଞ୍ଚାଇବା ପାଇଁ ତଦନ୍ତ ରିପୋର୍ଟକୁ ହଜେଇ ଦେବେ, ଅନ୍ୟପଟେ ବାହାବା ନେବା ପାଇଁ ତଦନ୍ତ କମିଟି ଗଠନ ପାଇଁ ଗଳା ଫଟେଇ ନିର୍ଦ୍ଦେଶ ଦେବେ । ଏସବୁ ତଦନ୍ତ ଡ୍ରାମା ପଛରେ ରହିଛି ବିରାଟ ପ୍ରଶାସନିକ ଷଡ଼ଯନ୍ତ୍ର । କେବଳ ବୋଲକରା କରିବା ପାଇଁ ଜାଣିଶୁଣି ଅଭିଯୋଗ ଥିବା ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନବୀନବାବୁ ପୋଲିସ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ବିଦା କରୁଛନ୍ତି । ନିଜର ମନ୍ଦ ଅଭିପ୍ରାୟ କୁଆଡେ ପଦାରେ ପଡିଯିବ, ସେଥିରୁ ଦୃଷ୍ଟି ହଟାଇବା ପାଇଁ ବିଭିନ୍ନ ଅଭିଯୋଗ ଦେଖାଇ ତଦନ୍ତ ନିର୍ଦ୍ଦେଶ ଦେବା ରାଜ୍ୟ ସରକାରଙ୍କ ଏକ ପ୍ରକାର ଧାରାବାହିକ କାର୍ଯ୍ୟ ହୋଇଗଲାଣି । ବରିଷ୍ଠ ପୋଲିସ ଅଧିକାରୀ ବି.କେ. ଶର୍ମାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଥିବା ଦର୍ଶାଇ ତାହାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ରାଜ୍ୟ କଂଗ୍ରେସର ଆଶାଙ୍କା ଏବଂ ଅଭିଯୋଗ ହେଲା ଏହା କେବଳ ବାହାବା ଓ ଲୋକଦେଖାଣିଆ । ସଂପ୍ରତି ସରକାରଙ୍କ ବିରୁଦ୍ଧରେ ଉଠିଥିବା ବଡ଼ ବଡ଼ ବିବାଦ ଯଥା ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାଣ୍ଡ, କାଳିଆ ଟଙ୍କା ହେରଫେର, ଧାନକିଣାରେ ବିଫଳତା ଆଦି ପ୍ରସଙ୍ଗରୁ ନଜର ହଟାଇବା ପାଇଁ ନବୀନ ବାବୁଙ୍କର ଏହା ଏକ ଚାଲ । ଯଦି ନବୀନ ବାବୁଙ୍କର ବାସ୍ତବରେ ଏହି ତଦନ୍ତର ଉଦ୍ଦେଶ୍ୟ ଶର୍ମାବାବୁଙ୍କର କାରନାମା ଉପରେ କାର୍ଯ୍ୟାନୁଷ୍ଠାନ ନେବା, ତାହେଲେ ତୁରନ୍ତ ପୂର୍ବତନ ଡି.ଜି. ପୋଲିସ ସଂଜିବ ମାରିକଙ୍କ ବିରୁଦ୍ଧରେ ହୋଇଥିବା ଲୋକପାଳ ରିପୋର୍ଟର ଖୁଲାସା କରନ୍ତୁ । କାହିଁକି ମାରିକଙ୍କ ବିରୁଦ୍ଧରେ ହୋଇଥିବା ଲୋକପାଳ ରିପୋର୍ଟକୁ ନବୀନ ବାବୁଙ୍କ ବିଭାଗ ଗାଏବ କଲା, ତା’ର ତଥ୍ୟ ରଖନ୍ତୁ ବୋଲି  ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି ।

ଯଦି ସତ୍ସାହସ ଅଛି ତେବେ ନବୀନ ବାବୁ ସ୍ପଷ୍ଟ କରନ୍ତୁ, ତୃତୀୟ ମହଲା ଏବଂ ସାଧାରଣ ପ୍ରଶାସନ ବିଭାଗରେ କିଏ ସେ ବ୍ୟକ୍ତି ଯିଏ ମାରିକଙ୍କ ଲୋକପାଳ ରିପୋର୍ଟକୁ ଗାଏବ କରିନେଇଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ବିଗତ ୧୧ ବର୍ଷ ହେଲା ରାଜ୍ୟ ସରକାର କହି ଆସୁଛନ୍ତି ଯେ ମାରିକଙ୍କ ବିରୋଧରେ ହୋଇଥିବା ଲୋକପାଳ ତଦନ୍ତ କମିଶନର ରିପୋର୍ଟ ସରକାରଙ୍କ ପାଖରେ ନାହିଁ, ଏହା ରାଜ୍ୟପାଳଙ୍କ ପାଖରେ ଅଛି । ରାଜ୍ୟ ସରକାରଙ୍କର ଏ ସ୍ପଷ୍ଟୀକରଣ ସଂପୂର୍ଣ୍ଣ ମିଥ୍ୟା ବୋଲି କଂଗ୍ରେସ ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣ ସହ ନବୀନ ବାବୁଙ୍କୁ କଟୁ ସମାଲୋଚନା କରାଯାଇଛି । ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଚିଠି ନଂ ୧୧୫୮୨ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଗତ ୫ ଏପ୍ରିଲ୍ ୨୦୦୮ ରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଲୋକପାଳ ରିପୋର୍ଟର ମୂଳ ରିପୋର୍ଟକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଏବଂ ରିପୋର୍ଟର ଏକ କପିକୁ ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ସଚିବଙ୍କୁ ପ୍ରଦାନ କରାଯାଇଛି । ଅର୍ଥାତ୍ ୧୧ ବର୍ଷ ହେଲା ରିପୋର୍ଟ ନବୀନ ବାବୁଙ୍କ କାର୍ଯ୍ୟାଳୟରେ ରହିଛି । ଯାହାକୁ ସର୍ବ ସାଧାରଣ ନକରି ନବୀନ ବାବୁ କେବଳ ମାରିକ୍ ବାବୁଙ୍କୁ ଖସାଇଲେ ନାହିଁ, ୧୧ ବର୍ଷ ହେଲା ରାଜ୍ୟ ବାସୀଙ୍କୁ ଧୋକା ଦେଇ ଆସୁଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

୫-ଟି ର ବାହାବା ନେଉଥିବା ନବୀନ ବାବୁଙ୍କର ଯଦି ସତ୍ସାହସ ଅଛି, ତା’ହେଲେ ମାରିକଙ୍କ ଲୋକପାଳ ରିପୋର୍ଟର ଖୁଲାସା କରନ୍ତୁ ବା ରିପୋର୍ଟକୁ ଯିଏ ଗାଏବ୍ କରିଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି । ୨୦୦୭ ରେ ସଂଜୀବ ମାରିକ୍ ଗୁରୁତର ତ୍ରୁଟି କରିଥିବା  ଅଭିଯୋଗ କରି ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କଲେ ଏବଂ ତତ୍କାଳୀନ ଲୋକପାଳ ଜଷ୍ଟିସ୍ ଶରତ ମହାପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଲେ । ଲୋକପାଳ ୨୭ ମାର୍ଚ୍ଚ ୨୦୦୮ ରେ ତଦନ୍ତ ରିପୋର୍ଟ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କଲେ । କିନ୍ତୁ ନବୀନ ବାବୁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ବରଂ ୨୦୧୫ ରେ ତାଙ୍କୁ ପ୍ରମୋସନ ଦେଇ ପୋଲିସ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଲେ ।

ପ୍ରଦେଶ କଂଗ୍ରେସର ଅଭିଯୋଗ ହେଲା ଯେ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଓ ତାଙ୍କ ଇସାରାରେ ଏ ରିପୋର୍ଟକୁ ଗାଏବ କରି ଦିଆଯାଇଛି । ତା’ ନହେଲେ ରିପୋର୍ଟ ଚୋରି ନେଇ ନା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ କାହା ବିରୋଧରେ ପୋଲିସରେ ଏଫ୍ଆଇଆର ହୋଇଛି ବା ଦାୟିତ୍ୱରେ ଅବହେଳା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ନିଆଯାଇନାହିଁ ବୋଲି ସତ୍ୟ ପ୍ରକାଶ ନାୟକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ଜିନେଶ ଦାସ, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Related Posts