ମଧ୍ୟପ୍ରଦେଶରେ ସରିଲା ଭୋଟ୍‌ ଗଣନା, କଂଗ୍ରେସକୁ ୧୧୪, ବିଜେପିକୁ ୧୦୯ ଆସନ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣତି ଆଜି ସକାଳେ ସରିଛି । କଂଗ୍ରେସ 114ଟି ଆସନରେ ବିଜୟୀ ହୋଇଥିବାବେଳେ ଶାସନରେ ଥିବା ବିଜେପିକୁ ମିଳିଛି 109ଟି ସିଟ୍‌ ।

ରାଜ୍ୟରେ କୌଣସି ଦଳକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳି ନଥିବାବେଳେ ଛତିଶଗଡ଼ ଓ ରାଜସ୍ଥାନରେ ବିଜୟୀ ହୋଇଥିବା କଂଗ୍ରେସ ଏଠାରେ ମଧ୍ୟ ସଂଖ୍ୟାଗରିଷ୍ଠ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛି । ରାଜ୍ୟରେ ବହୁଜନ ସମାଜବାଦୀ ପାର୍ଟି ୨ଟି, ସମାଜବାଦୀ ପାର୍ଟି ଗୋଟିଏ ଓ ୪ ଜଣ ନିର୍ଦ୍ଦଳୀୟ ପାର୍ଥୀ ବିଜୟୀ ହୋଇଛନ୍ତି । ଏହିମାନେ ହିଁ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ସେପଟେ ଭୋଟ ଗଣତି ସରିବା ଓ ଫଳାଫଳ ଘୋଷଣା ପରେ ମଧ୍ୟପ୍ରଦେଶରେ ସରକାର ଗଠନ ପ୍ରକ୍ରିୟା ଜୋର ଧରିଛି ।

୧୧୪ଟି ଆସନ ପାଇଥିବା କଂଗ୍ରେସ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ସହାୟତାରେ ମଧ୍ୟପ୍ରଦେଶରେ ସରକାର ଗଠନ କରିବାକୁ ନିଜର ଦାବି ଜଣାଇଛି । ଗତକାଲି ରାତିରୁ ହିଁ ମଧ୍ୟପ୍ରଦେଶ ପିସିସି ସଭାପତି କମଲନାଥ ରାଜ୍ୟରେ କଂଗ୍ରେସ ସରକାର ଗଠନ ପାଇଁ ଅନୁମତି ଦେବାକୁ ରାଜ୍ୟପାଳଙ୍କୁ ଜଣାଇଥିଲେ । ଏଥିପାଇଁ ରାତିରେ ଭେଟିବାକୁ ସମୟ ମାଗିଥିଲେ ।

କିନ୍ତୁ ଶେଷ ଭୋଟ୍‌ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ ରାଜ୍ୟପାଳ କମଲନାଥଙ୍କୁ କହିଥିଲେ । ତେବେ ଆଜି ସକାଳେ ଭୋଟ୍‌ ଗଣତିର ଶେଷ ଫଳାଫଳ ଘୋଷଣା ହେବା ପରେ କଂଗ୍ରେସ ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଜୋର ଧରିଛି ।

Related Posts