ପୂର୍ବତନ ସଚିବ ଶକ୍ତିକାନ୍ତ ଦାସ ହେଲେ RBIର ନୂଆ ଗଭର୍ଣ୍ଣର

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ୍‌ ପଟେଲ୍‌ଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ମଙ୍ଗଳବାର କେନ୍ଦ୍ରୀୟ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ କରିଛନ୍ତି । କେନ୍ଦ୍ର ସରକାରରେ ପୂର୍ବ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ କରିଛନ୍ତି ।
ସୋମବାର ପଟେଲ୍‌ ହଠାତ୍‌ ଇସ୍ତଫା ଦେବା ପରେ ଗଭର୍ଣ୍ଣର ହେବାର ରେସ୍‌ରେ ଶକ୍ତିକାନ୍ତ ଦାସ ସବୁଠାରୁ ଆଗରେ ଥିଲେ ।

ନିଯୁକ୍ତି ପୂର୍ବରୁ ମଙ୍ଗଳବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଭିତରେ ବୈଠକ ବସିଥିଲା । ଏହି ବେଠକ ପରେ ଶକ୍ତିକାନ୍ତ ଦାସଙ୍କ ନାମ ଉପରେ ମୋହର ଲାଗିଲା । ଏବେ ଶ୍ରୀ ଦାସ ଅର୍ଥ ଆୟୋଗର ସଦସ୍ୟ ଅଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା 2016 ନଭେମ୍ବରରେ ମୋଦି ନୋଟବନ୍ଦୀ ଘୋଷଣା କରିବା ସମୟରେ ଅର୍ଥ ସଚିବ ଥିବା ଶ୍ରୀ ଦାସ ପୁରା ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ଉର୍ଜିତ୍‌ ପଟେଲ୍‌ ଇସ୍ତଫା ଦେବା ପଛରେ ତାଙ୍କର ବ୍ୟକ୍ତିଗତ କାରଣ ଥିବା କୁହାଯାଇଛି । ଯଦିଓ ସୂଚନା ଅନୁସାରେ ଗୋଟିଏ ମାସ ତଳେ କେନ୍ଦ୍ରୀୟ ବ୍ୟାଙ୍କର ବୋର୍ଡ ବୈଠକରେ ଆର୍‌ବିଆଇ ଗଭର୍ଣ୍ଣର ଓ କେନ୍ଦ୍ର ସରକାର ଭିତରେ ତାଳମେଳ ନ ଥିବା କଥା ସାମ୍ନାକୁ ଆସିଥିଲା ।

Related Posts