
ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ମଙ୍ଗଳବାରଠୁ କଂଗ୍ରେସ ଆରମ୍ଭ କରିବ ଅଭିଯାନ। ଏଥିପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ ସିଂହଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ଅକ୍ଟୋବର ପହିଲାରେ କଂଗ୍ରେସ ଭବନରେ ଶ୍ରୀ ସିଂହ ପ୍ରେରକମାନଙ୍କୁ ତାଲିମ ପ୍ରଦାନ କରିବେ। ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଜନତା ମଇଦାନ ସ୍ଥିତ ଗାନ୍ଧୀ ପଡ଼ିଆରୁ ସକାଳ ୮ଟାରେ ପଦଯାତ୍ରା ଆରମ୍ଭ ହୋଇ କଂଗ୍ରେସ ଭବନରେ ଶେଷ ହେବ। ପଦଯାତ୍ରା ସମୟରେ ଦେଶ ପାଇଁ କଂଗ୍ରେସ ଓ ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ପ୍ରଚାରପତ୍ର ପ୍ରଦର୍ଶନ କରାଯିବ। ସେହିପରି ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ପାଇଁ ୩ ତାରିଖରେ କଂଗ୍ରେସ ପ୍ରଭାରୀ ଶ୍ରୀ ସିଂହ ବିଜେପୁର ଗସ୍ତ କରି ସେଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ। ୪ ତାରିଖରେ ଭୁବନେଶ୍ବର ସ୍ଥିତ ପିସିସି କାର୍ଯ୍ୟାଳୟରେ ସେ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଲୋକଙ୍କ ସହଯୋଗ ଉପରେ ନିର୍ଭର କରୁଛି। ଉପନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ ଗତ ୩ ଦିନ ଭିତରେ ଦଳ ୧ ଲକ୍ଷ ୧୦ ହଜାର ଟଙ୍କା ସଂଗ୍ରହ କରିଛି। ପାଣ୍ଠି ସଂଗ୍ରହ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରଥମ ଦିନରେ ୭୫ ହଜାର ଟଙ୍କା ମିଳିଥିବା ବେଳେ ଦ୍ବିତୀୟ ଦିନରେ ୨୫ ହଜାର ଟଙ୍କା ଓ ତୃତୀୟ ଦିନ ସକାଳ ସୁଦ୍ଧା ମିଳିଛି ୧୦ ହଜାର ଟଙ୍କା। ଶ୍ରୀ ପଟ୍ଟନାୟକ କହିଥିଲେ, ନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ କଂଗ୍ରେସ ଦଳ ପାଖରେ ଟଙ୍କା ନାହିଁ। ପୁଞ୍ଜିପତିମାନଙ୍କ ଟଙ୍କାରେ ବିଜେଡି ଓ ବିଜେପି ଯେପରି ନିର୍ବାଚନରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି, ସେଭଳି କଂଗ୍ରେସ କରେ ନାହିଁ। ଏହା ଦଳର ନୀତି ଆଦର୍ଶ ବିରୋଧୀ। ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସାଧାରଣ ଜନତା ଓ କର୍ମୀମାନଙ୍କଠୁ ମିଳିଥିବା ସାହାଯ୍ୟ ଅର୍ଥରେ ନିର୍ବାଚନ ଲଢ଼ିବେ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଂପାଦକ ଜି.ରୁଦ୍ରରାଜୁ ଉପସ୍ଥିତ ଥିଲେ।