ଦରବୃଦ୍ଧି ଓ ବେକାରୀ ସମସ୍ୟା ନେଇ ଅଗଷ୍ଟ ୨୩ରୁ ରାଜ୍ୟବ୍ୟାପୀ ଲୋକଙ୍କୁ ସଚେତନ କରିବ କଂଗ୍ରେସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଦିନକୁ ଦିନ ବଢୁଥିବା ଦରଦାମ ଓ ବେକାରୀ ସମସ୍ୟା ସମ୍ପର୍କରେ ସାଧାରଣରେ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ “ମହଙ୍ଗାଇ ପର ଚର୍ଚ୍ଚା” ସହ ୨୮ରେ ଦିଲ୍ଳୀଠାରେ “ମହଙ୍ଗାଇ ପର୍‌ ହାଲ୍ଲା ବୋଲ୍‌- ଦିଲ୍ଲୀ ଚଲୋ” ଅଭିଯାନ ଚଳାଇବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଶନିବାର କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଥିବାବେଳେ ନିଯୁକ୍ତି ଅଭାବରୁ ଦେଶର ଯୁବ ସମାଜ ହତାଶ ହୋଇପଡିଛନ୍ତି। ୨୦୧୪ରେ କଂଗ୍ରେସ ସରକାରରେ ରନ୍ଧନ ଗ୍ୟାସର ମୂଲ୍ୟ ୪୧୦ ଟଙ୍କା ଥିବାବେଳେ ଆଜି ଗ୍ୟାସର ମୂଲ୍ୟ ୧୦୮୦ ଟଙ୍କାରେ ପହଞ୍ଚିଲାଣି । ପେଟ୍ରୋଲ ଲିଟର ୭୧ ଟଙ୍କାରୁ ୧୦୩ ଟଙ୍କା ଓ ଡିଜେଲ ୫୭ ଟଙ୍କାରୁ ଆସି ଟ.୯୫.୧୫ ପଇସାରେ ପହଞ୍ଚିଲାଣି। ସୋରିଷତେଲ ୯୦ ରୁ ୨୦୦ ଟଙ୍କା ଓ ଅଟା କେଜି ୨୨ଟଙ୍କା ରୁ ୪୦ ଟଙ୍କା ହେଲାଣି। ଲିଟର ପିଛା ପେଟ୍ରୋଲରୁ କଂଗ୍ରେସ ସମୟରେ ମାତ୍ର ୯ଟଙ୍କା ୪୮ ପଇସା ଆଦାୟ କରାଯାଉଥିଲାବେଳେ ବିଜେପି ସରକାର ୩୨ ଟଙ୍କା ୯୮ ପଇସା ଓ ଡିଜେଲ ଉପରେ କଂଗ୍ରେସ ସମୟରେ ୩ଟଙ୍କା ୫୬ ପଇସା ଥିଲା ଆଦାୟ ହେଉଥିବାବେଳେ ଏବେ ୩୧ଟଙ୍କା ୮୩ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରାଯାଉଛି। ଅଟା, ଗୁଡ଼, ଖଇ, ଉଖୁଡ଼ା, ଚାଉଳଚୂନା, ଚୁଡ଼ା, ମୁଢ଼ି, ପନିର, ଦହି, ପେନସିଲ କଟର ନୋଟ ଖାତା ଉପରେ ୫% ଜିଏସଟି ବସାଯାଇଛି। ବର୍ଷକୁ ୨ କୋଟି ଚାକିରି ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲା ବେଳେ ୮ ବର୍ଷରେ ୧୪ କୋଟି ଲୋକ ଜୀବନ ଜୀବିକା ହରାଇଛନ୍ତି। ବିମୁଦ୍ରାୟନ ଓ ତରବରିଆ ଭାବେ ଜିଏସଟି ଲାଗୁ କରାଯିବା ଯୋଗୁଁ ୨ଲକ୍ଷ ୩୦ ହଜାର ଛୋଟ, କ୍ଷୁଦ୍ର ଶିଳ୍ପ ଭାରତବର୍ଷରେ ବନ୍ଦ ହୋଇଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କେନ୍ଦ୍ର ସରକାରଙ୍କର ଏହିି ଜନମାରଣ ନୀତି ବିରୋଧରେ ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି। ଆସନ୍ତା ୧୭ରୁ ୨୩ ତାରିଖ ଭିତରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ମଣ୍ଡି, ହାଟବଜାର, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ‘ମହଙ୍ଗାଇ ପର ଚର୍ଚ୍ଚା’ ସହ ଓ ପ୍ରଚାରପତ୍ର ବଣ୍ଟନ କରି ଜନସଚେତନା ସୃଷ୍ଟି କରିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ମହଙ୍ଗାଇ ପର ହାଲ୍ଲା ବୋଲ – ଚାଲୋ ଦିଲ୍ଲୀ ଅନୁଷ୍ଠିତ ହେବ ବୋଲି କହିଥିଲେ। ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଓ ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

Related Posts