ଦଶହରା ଅବସରରେ ରାବଣ ବଦଳରେ ଇଡି ଓ ସିବିଆଇର ପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବରେ ବିଜୟା ଦଶମୀ ବା ଦଶହରା ପାଳନ କରାଯାଇଥାଏ। ଏହି ଅବସରରେ ଦୁଷ୍ଟ ରାବଣର ପୁତ୍ତଳିକା ଦାହ କରି ସାରା ଦେଶ ଦଶହରା ପାଳନ କରାଯାଇଥାଏ। ଗତକାଲି ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରାଯାଇଥିବା ବେଳେ ଗୁଜରାଟରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୁଜରାଟର କୁଚ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ରାବଣ ବଦଳରେ ଇଡି ଓ ସିବିଆଇର ପୁତ୍ତଳିକା ଦାହ କରି ବିଜୟା ଦଶମୀ ପାଳନ କରାଯାଇଛି।

ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ରାବଣ ସହ ତୁଳୁନା କରି ଅଭିନବ ଢ଼ଙ୍ଗରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ତେବେ ଆଗକୁ ଗୁଜରାଟ ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଗୁଜୁରାଟରେ କ୍ଷମତା ଦଖଲ ପାଇଁ ରାଜନୈତିକ ଦଳ ଗୁଡିକ ପକ୍ଷରୁ କସରତ ଓ ରଣନୀତି ଆରମ୍ଭ ହୋଇଛି । ଏହି ଲଢ଼େଇରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନି।

ବିଜୟା ଦଶମୀ ଅବସରରେ ଦରଦାମ ବୃଦ୍ଧି, ମୁଦ୍ରାସ୍ପୀତି, ଦୁର୍ବଳ ସ୍ୱାସ୍ଥ୍ୟ ସେବା, ଶିକ୍ଷାକୁ ବ୍ୟୟବହୁଳ କରିବା ଏବଂ ଜିଏସଟିକୁ ନେଇ କଂଗ୍ରେସ ସ୍ୱର ଉଠାଇଛି। କେନ୍ଦ୍ରର ବିଜେପି ସରକାର ଦେଶର ଏହି ସବୁ ସମସ୍ୟାକୁ ସମାଧାନ କାରିବା ବଦଳରେ ତଦନ୍ତକାରୀ ସଂସ୍ଥା ଇଡି ଏବଂ ସିବିଆଇକୁ ଢାଲ କରି ବିରୋଧୀଙ୍କ ସ୍ୱରକୁ ଦବେଇ ଦେବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି ଓ ପ୍ରତୀକାତ୍ମକ ଭାବରେ ଇଡି ଓ ସିବିଆଇର ପୁତ୍ତଳିକା ଦାହ କରିଛି।

Related Posts