ଅଖଣ୍ଡ ଭାରତର ସ୍ୱପ୍ନ ଦେଖିବା ପୂର୍ବରୁ ପ୍ରଥମେ ପିଓକେକୁ ଭାରତରେ ସଂଯୋଗ କର: ସଞ୍ଜୟ ରାଉତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବୟାନ ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ଆରଏସଏସ ମୁଖ୍ୟଙ୍କ ବୟାନରେ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୋହନ ଭଗବତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସନାତନ ଧର୍ମ ହେଉଛି ହିନ୍ଦୁ ରାଷ୍ଟ୍ର । ୧୫ ବର୍ଷ ମଧ୍ୟରେ ଭାରତ ପୁଣି ଏକ ଅଖଣ୍ଡ ଭାରତରେ ପରିଣତ ହେବ । ଆମେ ଏସବୁକୁ ନିଜ ଆଖିରେ ଦେଖିବା । ଯଦିଓ ସାଧୁମାନଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦ ରୁ ୨୫ ବର୍ଷ ମଧ୍ୟରେ ଭାରତ ପୁଣି ଏକ ଅଖଣ୍ଡ ଭାରତ ହେବ । ମାତ୍ର ଆମେ ସମସ୍ତେ ଏକାଠି କାର୍ଯ୍ୟରେ ଯୋଗଦେଲେ ମାତ୍ର ୧୦ରୁ ୧୫ ବର୍ଷ ମଧ୍ୟରେ ଅଖଣ୍ଡ ଭାରତ ଗଠନ ହୋଇ ପାରିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି । ଏହାର ଜବାବରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ତୁମେ ଅଖଣ୍ଡ ଭାରତ ନିର୍ମାଣ କର କିନ୍ତୁ ୧୫ ବର୍ଷ ନୁହେଁ ୧୫ ଦିନ କାର୍ଯ୍ୟରେ କରି ଦେଖାଇବାକୁ ପ୍ରତିଜ୍ଞା କର । ଅଖଣ୍ଡ ଭାରତର ସ୍ୱପ୍ନ ସଭିଏଁ ଦେଖୁଛନ୍ତି । ଏହା ବୀର ସାବରକର, ବାଲାସାହେବ ଠାକରେଙ୍କ ସ୍ୱପ୍ନ ଥିଲା ।

ତେଣୁ ସର୍ବପ୍ରଥମେ ତୁମେ ବୀର ସାମରକରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବା ଆବଶ୍ୟକ ବୋଲି ସଞ୍ଜୟ ରାଉତ କହିଛନ୍ତି । ଏହା ସହ ଏକ ଅଖଣ୍ଡ ଭାରତ ଗଠନ କରିବା ପାଇଁ ସର୍ବପ୍ରଥମେ ଭାରତ ସହିତ ପାକ ଅଧିକୃତ କାଶ୍ମୀରକୁ ସଂଯୋଗ କର ଏବଂ ତା’ପରେ ବିଭାଜନ ହୋଇଥିବା ପାକିସ୍ତାନକୁ ଭାରତ ସହିତ ଯୋଡ଼ିବା କାର୍ଯ୍ୟ କର । ଯେଉଁଠାରୁ ପୂର୍ବରୁ ଭାରତର ସୀମା ଥିଲା । ସେସବୁକୁ ମଧ୍ୟ ଯୋଡ଼ନ୍ତୁ । ଶ୍ରୀଲଙ୍କାକୁ ଯୋଡ଼ନ୍ତୁ ଏବଂ ପରେ ଭାରତକୁ ଏକ ସୁପର ପାୱାର କରନ୍ତୁ । ଆପଣଙ୍କୁ କେହି ଅଟକାଇ ନାହାନ୍ତି । କିନ୍ତୁ ଏହା ପୂର୍ବରୁ କାଶ୍ମୀର ପଣ୍ଡିତମାନଙ୍କୁ ଘରକୁ ଫେରିବା ପାଇଁ ଦିଅନ୍ତୁ । ଏବଂ ଯଦି ଆପଣ ଏହା କରନ୍ତି ତାହାଲେ ଆମେ ଆପଣଙ୍କୁ ନିଶ୍ଚିତ ସମର୍ଥନ କରିବୁ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ଚଳଚଞ୍ଚଳ ହୋଇ ଉଠିଛି ।

Related Posts