ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ପାଇଁ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ଥିବା ଆର୍ଥିକ ଅନିୟମିତତା ପ୍ରସଙ୍ଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଶ୍ଵବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଥିବା ସମୟରେ ସ୍ବଚ୍ଛ ବିଦ୍ୟାଳୟ ପ୍ରକଳ୍ପ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ପ୍ରଫେସର ମିତ୍ତଲ ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ଦୁଇଟି ପର୍ଯ୍ୟାୟରେ ସ୍ଥାନାନ୍ତର କରିଥିଲେ।ରାଜ୍ୟପାଳଙ୍କ ଦପ୍ତରର ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍‌କୋରାଙ୍କ ନେତୃତ୍ବରେ ଏକ ଟିମ୍ ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ସମ୍ଭବତଃ ଚାପରେ ପ୍ରଫେସର ମିତ୍ତଲ ଉକ୍ତ ଟଙ୍କା ଫେରସ୍ତ କରିବା ସହିତ ଅଚାନକ ପ୍ରଥମେ ୩ଟି ପର୍ଯ୍ୟାୟରେ ଛୁଟିରେ ଯାଇଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କୁଳପତି ପଦରୁ ସେ ଇସ୍ତଫା ଦେଇଥିଲେ।

ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେତେବେଳେ ଦାବି ହୋଇଥିଲା। ପୂର୍ବତନ ସିଣ୍ଡିକେଟ ସଦସ୍ୟ, ଆଇନଜୀବୀମାନେ ଲିଖିତ ଭାବେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହିତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ପ୍ରଫେସର ମିତ୍ତଲଙ୍କ କାର୍ଯ୍ୟକାଳ ସମୟରେ ବିଶ୍ଵବିଦ୍ୟାଳୟରେ ବହୁ ବେନିୟମ କାମ ହୋଇଥିବା ନେଇ ଅଭିଯୋଗ କରାଯିବା ସହିତ ସମସ୍ତ ପ୍ରକାର କ୍ରୟ ଓ ଅନ୍ୟାନ୍ୟ କାମର ଅଡିଟ୍‌ କରାଇବାକୁ ମଧ୍ୟ ଦାବି କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍‌କୋରା ଗତ ୧୭ ସେପ୍ଟେମ୍ବରରେ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି(୩୯୫୧୫/୧୭.୯.୨୦୨୨)ଲେଖି ପ୍ରଫେସର ମିତ୍ତଲଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ। ଯଦି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସଂପର୍କରେ ତୁରନ୍ତ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ବିଶ୍ଵବିଦ୍ୟାଳୟ କୁଳସଚିବ ମଧ୍ୟ ତୁରନ୍ତ ଚିଠିର ଜବାବ ପଠାଇଥିଲେ। ତଥାପି, ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଥିଲା।

ବିଳମ୍ବରେ ହେଲେ ମଧ୍ୟ କୁଳାଧିପତିଙ୍କ କାର୍ଯ୍ୟାଳୟରୁ ଏହି ଆର୍ଥିକ ଅନିୟମିତତା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇ ନିଜସ୍ବ ସ୍ତରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳସଚିବ ଏହି ମାମଲା‌ରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି,ଏବେ ତାହା ଦେଖିବାକୁ ବାକି ରହିଲା।