ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ସେବାୟତଙ୍କ ଆକ୍ରମଣ ଅଭିଯୋଗ, ଜଣେ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ବୁଧବାର ଜଣେ ହବିଷ୍ୟାଳୀ ସେବାୟତଙ୍କ ମାଡ଼ରେ ଆହତ ହୋଇଛନ୍ତି। ହବିଷ୍ୟାଳୀ ଜଣକ ପୁରୀ ଜିଲ୍ଲା ବ୍ରହ୍ମଗିରି ସାହସପୁରର କୁମାରୀ ନାୟକ(୬୨) ବୋଲି ଜଣାପଡ଼ିଛି। ସେବାୟତଙ୍କ ମାଡ଼ରେ କୁମାରୀ ଆହତ ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟପଟେ କେଉଁ ସେବାୟତ ‌ଏଭଳି କାଣ୍ଡ ଭିଆଇଛନ୍ତି ତାହା ଜଣାପଡ଼ି ନାହିଁ।ଅଭିଯୋଗ ମୁତାବକ, ବୃନ୍ଦାବତୀ ନିବାସରେ ରହୁଥିବା କୁମାରୀ ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବସ୍‌ ‌ଯୋଗେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିଲେ। ସାଙ୍ଗରେ ପ୍ରଶାସନିକ ସହଯୋଗ ପାଇଁ ସ୍ବେଚ୍ଛାସେବୀମାନେ ଥିଲେ। ଦର୍ଶନ ପାଇଁ ଗରୁଡ଼ ସ୍ତମ୍ଭ ପାଖରେ ପହଞ୍ଚିଛନ୍ତି କି ନାହିଁ, ଜଣେ ସେବାୟତ ତାଙ୍କୁ ତାଚ୍ଛଲ୍ୟ କରିଥିଲେ। ‘ ନବୀନବାବୁ କ’ଣ ମାଗଣା ଖାଇବାକୁ ଏଠିକୁ ପଠାଇଛନ୍ତି’, କହି ଥଟ୍ଟାତାମସା କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହେବାରୁ ସଂପୃକ୍ତ ସେବାୟତ କୁମାରୀଙ୍କୁ ଆକ୍ରମଣ କରିଥିଲେ। ତଳେ ପଡ଼ିଯିବାରୁ ସେବାୟତ ଜଣକ ତାଙ୍କ ବେକ ଉପରେ ଛିଡ଼ାହୋଇ ପଡ଼ି ପୁଣି ମାଡ଼ ମାରିବା ସହ ବେକରୁ ହବିଷ୍ୟାଳୀ ପରିଚୟପତ୍ର ଛିଣ୍ଡାଇ ଦେଇଥିଲେ। ସେବାୟତ ଜଣଙ୍କ ଆକ୍ରମଣରେ କୁମାରୀଙ୍କ କାନ, ଗୋଡ଼ ଓ କାନ୍ଧରେ ଆଘାତ ଲାଗିଛି।

ଏହି ଘଟଣା ନେଇ ସିଂହଦ୍ଵାର ଥାନା ପୁଲିସ କହିଛି ଯେ, କେଉଁ ସେବାୟତ ଏଭଳି କାଣ୍ଡ ଭିଆଇଛନ୍ତି, ତାହା ଜଣାପଡ଼ିନି। ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ହାଲ୍‌କା ଭାବେ ନେଇ କହିଛନ୍ତି ଯେ ହବିଷ୍ୟାଳୀ ପଡ଼ିଯିବାରୁ ଏଭଳି ଘଟଣା ଘଟିଛି।

Related Posts