ଆମଠୁ ନିରପେକ୍ଷତା ଆଶା କରନି – ସୌମ୍ୟ ପଟ୍ଟନାୟକ

ସତ୍ୟପାଠ ବ୍ୟୁରୋ : ନିରପେକ୍ଷ ନୁହେଁ ଓଡିଶାର ଗଣମାଧ୍ୟମ । ବିଜ୍ଞାପନ ଉପରେ ନିର୍ଭରଶୀଳ ଏହି ସଂସ୍ଥା ନିରପେକ୍ଷ ହେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସମ୍ବାଦର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ସୌମ୍ୟରଂଜନ ପଟ୍ଟନାୟକ । ଜୟଦେବ ଭବନ ଠାରେ ଆୟୋଜିତ ଓଡିଶା ମିଡିଆ କନକ୍ଲେଭର ଉଦଘାଟନୀ ଉତ୍ସବରେ ଯୋଗଦେଇ ସୌମ୍ୟବାବୁ ଏହା କହିଛନ୍ତି ।

ବାରମ୍ବାର ଗଣମାଧ୍ୟମର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଖବରର ବିଶ୍ୱସନୀୟତାକୁ ନେଇ ବି ଅଙ୍ଗୁଳି ଉଠିଛି । କେବଳ ଗୋଟିଏ ଦୁଇଟିକୁ ଛାଡିଦେଲେ, ସରକାରୀ ଦଳର ଅନେକ ନେତା, ବିଧାୟକ ଓ ସାଂସଦଙ୍କ ମାଲିକାନାରେ ରହିଛି ପ୍ରମୁଖ ମିଡିଆ ହାଉସ୍ । ଯେଉଁଥିପାଇଁ ସରକାରୀ ଦଳକୁ ସୁହାଇବା ଭଳି ଖବର ପ୍ରକାଶ କରାଯାଏ ବୋଲି ପାଠକ ଓ ଦର୍ଶକ ମହଲରେ ମତ ପ୍ରକାଶ ପାଏ । ଠିକ୍ ଏହି ସମୟରେ ସୌମ୍ୟବାବୁଙ୍କ ନିରପେକ୍ଷ ଶବ୍ଦ ଟି ଯେମିତି ସମସ୍ତଙ୍କୁ ସନ୍ଦେହ ଭିତରକୁ ଠେଲି ଦେଇଛି ।

 “ଓଡିଶାର ଗଣମାଧ୍ୟମ ସଂସ୍ଥାର କୌଣସି ନିଜସ୍ୱ ଆୟ ନାହିଁ । ତେଣୁ ପ୍ରାୟ ସମସ୍ତ ସଂସ୍ଥାମାନେ ବିଜ୍ଞାପନ ଉପରେ ନିର୍ଭର କରିଥାଆନ୍ତି । ଆମେ ବି ମଣିଷ । ଆମେ ଯେ ଏକା ସମାଜକୁ ବଦଳାଇ ଦେବୁ ଏହା ସମ୍ଭବ ନୁହେଁ । ତେଣୁ ଆମଠାରୁ ନିରପେକ୍ଷତା ଆଶା କରନ୍ତୁନି ” – ସୌମ୍ୟ ପଟ୍ଟନାୟକ

ନିର୍ବାଚନ ପୂର୍ବରୁ, ଠିକ୍ ଏମିତି ନିରପେକ୍ଷତାର କଥା କହିଥିଲେ ‘ଧରିତ୍ରୀ’ର ସଂପାଦକ ତଥାଗତ ଶତପଥୀ । କହିଥିଲେ, ନିର୍ବାଚନ ଲଢ଼ିବିନି ଏବଂ ନିରପେକ୍ଷ ସାମ୍ବାଦିକତା କରିବି । ସେତେବେଳେ ମଧ୍ୟ ସମାନ ପ୍ରଶ୍ନ ଉଠିଥିଲା ଯେ, ପୂର୍ବରୁ କଣ ତଥାଗତ କିମ୍ବା ତାଙ୍କ ସଂସ୍ଥା ନିରପେକ୍ଷ ନଥିଲା କି ?

ଏବେ ସୌମ୍ୟବାବୁଙ୍କ କଥା ମଧ୍ୟ ସେଭଳି କିଛି ସୂଚାଉଥିବା ଆଲୋଚନା ହେଉଛି । ବିଜେଡିରେ ଯୋଗଦେବା ପୂର୍ବରୁ ସରକାରଙ୍କୁ ସମାଲୋଚନା କରି ଫାଳ ଫାଳ ଖବର ବାହାର କରୁଥିବା ସଂସ୍ଥାର ମାଲିକ ଏବେ ନିରପେକ୍ଷ ହୋଇପାରିବେନି ବୋଲି କହିବାକୁ ସହଜରେ ଗ୍ରହଣ କରାଯାଇ ନପାରେ ।

ଅବଶ୍ୟ ଏକଥା ସତ, ବର୍ତ୍ତମାନର ସମୟରେ ଗୋଟିଏ ଖବରକାଗଜର ଦାମ୍ ୧୨ରୁ ୧୫ ଟଙ୍କା ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି । କିନ୍ତୁ ପାଠକ ତ ଆଉ ଏହି ଦାମ୍ ଦେଇ ପଢ଼ୁନାହାଁନ୍ତି । ତା ଛଡା ଓଡିଶାର ପାଠକ ସଂଖ୍ୟା ଅଧିକ କିନ୍ତୁ କ୍ରେତାଙ୍କ ସଂଖ୍ୟା କମ୍ । ତେଣୁ ସେ ଦୃଷ୍ଟିରୁ ବିଜ୍ଞାପନ ନ ଆସିଲେ, ସଂସ୍ଥାର ଭଲମନ୍ଦର, କର୍ମଚାରୀଙ୍କ ଦରମା, ପ୍ରକାଶନ ଓ ପ୍ରସାରଣ ଇତ୍ୟାଦି ସମ୍ଭବ ହେବ ବା କେମିତି ?

ସେପଟେ ସୌମ୍ୟ ବାବୁଙ୍କ ଏହି ମନ୍ତବ୍ୟ ପରେ କନକ୍ଲେଭରେ ଉପସ୍ଥିତି ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଣେ ବ୍ୟଙ୍ଗାତ୍ମକ ଛଳରେ କହିଥିଲେ, ବର୍ତ୍ତମାନର ଗୋଖାଦ୍ୟ ଦାମ୍ ଅଧିକ ବୋଲି କ୍ଷୀରବାଲା କଣ କହିବ, ଦାମ୍ ବଢ଼ୁଛି ତେଣୁ କ୍ଷୀରରେ ୫୦ ପରସେଣ୍ଟ ପାଣି ନିହାତି ମିଳିବ । ଆଉ ଜଣେ ଗରୀବ କଣ କହିବ, ମୁଁ ଗରୀବ ତେଣୁ ଖାଇବା ପାଇଁ ନିହାତି ଚୋରୀ କରିବି ?

ଏବେ ପ୍ରଶ୍ନ ଉଠୁଛି, ସୌମ୍ୟବାବୁଙ୍କ କ୍ଷେତ୍ରରେ ଏଭଳି କିଛି ଘଟୁଛି କି ? କୌଣସି ଅଦୃଶ୍ୟ ଚାପ ତାଙ୍କ ଖବରକୁ ମୋଡିବାକୁ ଚେଷ୍ଟା କରୁଛି କି ? ତାହାହେଲେ କଣ ଓଡିଆ ଗଣମାଧ୍ୟମ ଉପରେ ଭରସା କରୁଥିବା ପାଠକ ଓ ଦର୍ଶକ ନିରପେକ୍ଷ ଖବର ପାଇବାକୁ ବଂଚିତ ହେବେ ?

Related Posts