ପାଟକୁରା ପାଇଁ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ

ସତ୍ୟପାଠ ବ୍ୟୁରୋ : ଅଣ୍ଟା ସଳଖିଲା କଂଗ୍ରେସ । ପାଟକୁରା ନିର୍ବାଚନ ପାଇଁ କମର କଷିଛି ଦଳ । ଦଳୀୟ କାର୍ଯ୍ୟାଳୟରେ ଆଜି ଏନେଇ ବୈଠକ ହୋଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପାଟକୁରା ପ୍ରାର୍ଥୀ ଜୟନ୍ତ ମହାନ୍ତି, ପିସିସି ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହି ରଣନୀତି ପ୍ରସ୍ତୁତ କରିଥିଲେ ।

ହାତରେ ପ୍ରଚାର ପାଇଁ ଆଉ ମାତ୍ର ୧୦ ଦିନ । ବିଜେଡି ଓ ବିଜେପି ଯେଉଁଭଳି ଜୋରସୋର କ୍ୟାମ୍ପେନ କରୁଛନ୍ତି, ସେମାନଙ୍କ ଠାରୁ ପଛରେ ପଡି ଯାଇଥିଲା କଂଗ୍ରେସ । ତେବେ ବାହୁଡା ପର ଠାରୁ ହାତଦଳ ପ୍ରଚାରକୁ ଜୋର କରିବ ବୋଲି କହିଛନ୍ତି ପିସିସି ସଭାପତି ।

ଦଳୀୟ ବିଧାୟକ ଓ ସାଂସଦଙ୍କୁ ପାଟକୁରାରେ ୨ରୁ ୩ ଦିନ ରହିବାକୁ କହିଛି ଦଳ । କେନ୍ଦ୍ରୀୟ ନେତୃତ୍ୱଙ୍କୁ ବି ପାଟକୁରା ଆସିବାକୁ ଅନୁରୋଧ କରାଯାଇଛି । ପଇସାରେ ପାଟକୁରା ଲଢ଼ି ପାରିବୁନି କି ଜିତି ପାରିବୁନି କହିଛନ୍ତି ନିରଂଜନ । ଓଡିଶାରେ ବିରୋଧୀ ଦଳ ଦେଖିବାକୁ ଚାହୁଁଥିଲେ କଂଗ୍ରେସକୁ ଭୋଟ ଦେବାକୁ ପାଟକୁରାବାସୀଙ୍କ ନିବେଦନ କରିବେ ବୋଲି କହିଛନ୍ତି ପିସିସି ସଭାପତି ।

ତେବେ କେନ୍ଦ୍ରାପଡାରୁ କଂଗ୍ରେସକୁ ପ୍ରତିନିଧୀତ୍ୱ କରୁଥିବା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି ଓ ଗଣେଶ୍ୱର ବେହେରା ପ୍ରମୁଖ ଆଜିର ବୈଠକରେ ଉପସ୍ଥିତ ନଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts