ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହେଲା ବିବାଦ; ଶରଦ ପାୱାରଙ୍କୁ ନେଇ ବଡ଼ ବୟାନ ଦେଲେ ଶିବସେନା ନେତା

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ବର୍ତ୍ତମାନ ସାରା ଦେଶରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ହଠାତ କେତେବେଳେ ସରକାର ପରିବର୍ତ୍ତନ ହୋଇଯାଉଛି ତ ଆଉ କେତେବେଳେ ନେତାଙ୍କ ମଧ୍ୟରେ ବିବାଦ ଉପୁଜୁଛି । ଏହା ମଧ୍ୟରେ ଏନସିପି ନେତା ଶରଦ ପାୱାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଶିବସେନା ନେତା ଅନନ୍ତ ଗୀତେ । ତେବେ ପିଠିରେ ଛୁରୀ ଭୁସିଥିବା ଶରଦ ପାୱାର ଆମର ଗୁରୁ ହୋଇପାରିବେ ନାହିଁ ବୋଲି କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି ସହ ମିଳିତ ସରକାରରେ ବିବାଦ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି । ଅନନ୍ତ ଗୀତେ କହିଛନ୍ତି ଯେ ତାଙ୍କ ଦଳ ଗଠନ ପାଇଁ କଂଗ୍ରେସକୁ ପଛପଟୁ ଛୁରୀ ଭୁସିଥିବା ଏନସିପି ମୁଖ୍ୟ ଶରଦ ପାୱାର ଶିବ ସୈନିକଙ୍କ ପାଇଁ ‘ଗୁରୁ’ ହୋଇପାରିବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଅଘାଡି ସରକାର କେବଳ ଆପୋଷ ବୁଝାମଣାରେ ଚାଲିଛି ।

ତାଙ୍କ ନିର୍ବାଚନମଣ୍ଡଳୀ ରାୟଗଡରେ ଏକ ସାଧାରଣ ସଭାରେ ଯୋଗ ଦେଇ ଗୀତେ ଏପରି କହିଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ଗୀତେ କହିଛନ୍ତି ଯେ ଶରଦ ପାୱାର କଦାପି ଆମର ନେତା ହୋଇପାରିବେ ନାହିଁ କାରଣ ଏହି ସରକାର କେବଳ ଆପୋଷ ବୁଝାମଣାରେ ଚାଲିଛି । ଲୋକମାନେ ପାୱାରଙ୍କୁ ଯେତେ ପ୍ରଶଂସା କଲେ ବି ଆମର ‘ଗୁରୁ’ କେବଳ ବାଲାସାହେବ ଠାକରେ ହିଁ ରହିବେ । ପାୱାର କଂଗ୍ରେସକୁ ପଛପଟୁ ଛୁରୀ ଭୁସି ତାଙ୍କ ଦଳ ଗଠନ କରିଥିଲେ। ଯଦି କଂଗ୍ରେସ ଏବଂ ଏନସିପି ଏକଜୁଟ ହୋଇପାରିବେ ନାହିଁ ତେବେ ଶିବସେନା ମଧ୍ୟ କଂଗ୍ରେସର ନୀତିକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରିପାରିବ ନାହିଁ। ଅନ୍ୟପଟେ ମେ ୨୫, ୧୯୯୯ ରେ ଶରଦ ପାୱାରଙ୍କ ଦ୍ୱାରା ଏନସିପି ଦଳ ଗଠନ କରାଯାଇଥିଲା ।

Related Posts