ସିନ୍ଦେ ଗୋଷ୍ଠୀର ୨୨ ବିଧାୟକ ଖୁବଶୀଘ୍ର ବିଜେପିରେ ଯୋଗଦେବେ; ଶିବସେନା ମୁଖପତ୍ର ‘ସାମନା’ରେ ଦାବି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ରାଜନୀତିରେ ଏବେ ମଧ୍ୟ ଛକାପଞ୍ଝା ଜାରି ରହିଛି । ରାଜ୍ୟର ସିନ୍ଦେ-ଫଡ଼ନାଭିସ ମେଣ୍ଟ ସରକାର ବିରୋଧରେ ଏକାକୀ ଲଢୁଛନ୍ତି ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ବିବାଦ ଲାଗି ରହିଛି। ଏସବୁ ଭିତରେ ଶିବସେନା ର ମୁଖପତ୍ର ‘ସାମନା’ ରେ ଏକ ଚମକାଇ ଦେଲା ଭଳି ଖବର ପ୍ରକାଶ ପାଇଛି। ସିନ୍ଦେଙ୍କ ଶିବସେନାରେ ୨୨ ବିଧାୟକ ଖୁସୀ ନାହାନ୍ତି। ସେମାନେ ଖୁବ୍‌ଶୀଘ୍ର ବିଜେପିରେ ମିଶିପାରନ୍ତି ବୋଲି ଏଥିରେ ସୂଚନା ଦିଆଯାଇଛି। ବିଜେପି ସିନ୍ଦେଙ୍କୁ ବ୍ୟବହାର କରୁଛି ବୋଲି ନିଜ ସାପ୍ତାହିକ ସ୍ତମ୍ଭରେ ଲେଖିଛି ଉଦ୍ଧବଙ୍କ ଶିବସେନା । ଏହି ଲେଖାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି ଉଦ୍ଧବ।

ରୋକ ଠୋକ୍‌ ସ୍ତମ୍ବରେ ଲେଖା ପ୍ରକାଶ କରି ଉଦ୍ଧବଙ୍କ ଶିବସେନା ଦାବି କରିଛି ଯେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ବିଜେପିର ଏକ ଅସ୍ଥାୟୀ ବ୍ୟବସ୍ଥା। ଏବେ ସମସ୍ତେ ବୁଝି ସାରିଛନ୍ତି ଯେ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀଙ୍କ ପଦ କେବେବି ଚାଲିଯାଇପାରେ। ସିନ୍ଦେ ଗ୍ରୁପ୍ ମହାରାଷ୍ଟ୍ରର ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ ନିର୍ବାଚନରେ ସଫଳତା ପାଇଥିବା ନେଇ କରୁଥିବା ଦାବି ମିଛ କଥା। ସିନ୍ଦେ ଗ୍ରୁପରେ ସର୍ବନିମ୍ନ ୨୨ ବିଧାୟକ ଅସନ୍ତୋଷ ରହିଛନ୍ତି ବୋଲି ସ୍ତମ୍ବରେ କୁହାଯାଇଛି।

ଏଥିରେ ଆହୁରି ଲେଖାଯାଇଛି ଯେ ସିନ୍ଦେଙ୍କ କାମ ଯୋଗୁ ମହାରାଷ୍ଟ୍ରକୁ ବହୁତ କ୍ଷତି ହୋଇଛି। ରାଜ୍ୟ ତାଙ୍କୁ କ୍ଷମା କରିବ ନାହିଁ। ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଥିଲେ ମଧ୍ୟ ବିକାଶ ଦେଖାଯାଉନାହିଁ। ଦେବେନ୍ଦ୍ର ଫଡନଭିସ ସବୁ ଜାଗାରେ ନଜର ଆସୁଛନ୍ତି। ସିନ୍ଦେଙ୍କର ଦିଲ୍ଳୀରେ କୌଣସି ପ୍ରଭାବ ନାହିଁ। ରାଜ୍ୟ ବିକାଶର ପୂରା ଶ୍ରେୟ ଫଡ଼ନାଭିସଙ୍କୁ ଯାଉଛି ବୋଲି ଉଦ୍ଧବ ଠାକରେ ଲେଖିଛନ୍ତି।

ଏପଟେ ରାଜ୍ୟ କଂଗ୍ରେସକୁ ନେଇ ମଧ୍ୟ ଭିତିରି ସୂଚନା ମିଳୁଛି। କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନଙ୍କ ସହ କିଛି ବିଧାୟକ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ଏନେଇ ଖବର ପ୍ରକାଶ ପାଉଥିବା ବେଳେ ଅଶୋକ ଚୌହ୍ୱାନ କିନ୍ତୁ ଏ ସଂକ୍ରାନ୍ତୀୟ ଖବରକୁ ଖଣ୍ଡନ କରିଛନ୍ତି।

Related Posts