ଶିବସେନାର ଭବିଷ୍ୟତ ଏବେ ବିପଦରେ, ତଥାପି ଲୋକମାନେ ଆମ ସହ ଅଛନ୍ତି: ଉଦ୍ଧବ ଠାକରେ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ୱୀକାର କରିଛନ୍ତି ଯେ, ଶିବସେନାର ଭବିଷ୍ୟତ ବିପଦରେ ଅଛି । କେବଳ ଏତିକି ନୁହେଁ, ଦେଶରେ ଗଣତନ୍ତ୍ରର ଭବିଷ୍ୟତ ମଧ୍ୟ ବିପଦରେ ଥିବା ଉଦ୍ଧବ ଦାବି କରିଛନ୍ତି । ଉଦ୍ଧବ ତାଙ୍କ ପିତା ସ୍ୱର୍ଗତ ବାଲ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନାର ଉତ୍ତରାଧିକାରୀ ଉପରେ ଏକ ଆଇନଗତ ଯୁଦ୍ଧ ଲଢ଼ୁଛନ୍ତି । ଏସବୁ ମଧ୍ୟରେ ଗୁରୁବାର ଠାକରେ ମୁମ୍ବାଇର ଦାଦର ଅଞ୍ଚଳରେ ଥିବା ଶିବସେନା ଭବନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ, ସେଠାରେ ସେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦେଶମୁଖଙ୍କୁ ନିଜ ଶିବିରରେ ସାମିଲ କରିଥିଲେ । ଏହି ଅବସରରେ ଠାକରେ କହିଛନ୍ତି ଯେ ଶିବସେନା ଭାଙ୍ଗିଯାଇଛି ଏବଂ ଦଳର ଶେଷ ହୋଇଯାଇଛି ବୋଲି ଦାବି ହେଉଛି ଏହା ସତ୍ତ୍ବେ ମଧ୍ୟ ଲୋକମାନେ ତାଙ୍କ ନିକଟକୁ ଆସୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧବ ଠାକରେଙ୍କ ନେତୃତ୍ବାଧିନ ଥିବା ମହା ବିକାଶ ଆଘାଡି ସରକାର ଚଳିତ ବର୍ଷ ଜୁନ୍‌ରେ ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରେ ଭୁଶୁଡି ପଡିଥିଲା । ପରେ ଭାରତୀୟ ଜନତା ପାର୍ଟିର ସମର୍ଥନରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏନେଇ ଠାକରେ କହିଛନ୍ତି, ଯାହା ସବୁ ଘଟିଲା ଏଥିରେ ସାଧାରଣ ଲୋକ ଏବଂ ବିଶେଷକରି ଦଳର ସଭ୍ୟମାନେ ସହମତ ନୁହଁନ୍ତି ଏବଂ ସେମାନେ ଆମକୁ ସମର୍ଥନ କରୁଛନ୍ତି । ସେମାନେ ମୋତେ କହୁଛନ୍ତି ଯେ ଛାଡନ୍ତୁ ନାହିଁ, ଯୁଦ୍ଧ କରନ୍ତୁ, ଆମେ ଆପଣଙ୍କ ସହିତ ଅଛୁ । ଯାହା ଘଟୁଛି ଆମେ ସହମତ ନୁହଁ ।

ସେ ଆହୁରି କହିଛନ୍ତି ଯେ, ଯେଉଁ ଲୋକମାନେ ରାଜନୈତିକ ଦୃଷ୍ଟିରୁ ମୋଟ ନିକଟତର ହେବେ ନାହିଁ ବୋଲି ମୁଁ ଭାବିଥିଲି ସେମାନେ ମୋ ସମର୍ଥନରେ ଆଗକୁ ଆସୁଛନ୍ତି । ସେହିଭଳି ବିଭିନ୍ନ ଧର୍ମ ଏବଂ ଅଞ୍ଚଳର ଲୋକମାନେ ଆମକୁ ସମର୍ଥନ କରୁଛନ୍ତି । କେବଳ ଶିବସେନା ନୁହେଁ ଦେଶରେ ଗଣତନ୍ତ୍ରର ଭବିଷ୍ୟତ ମଧ୍ୟ ଏବେ ବିପଦରେ ଅଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଠାକରେଙ୍କ ଦଳରେ ଯୋଗ ଦେଇଥିବା ଦେଶମୁଖ ମହାରାଷ୍ଟ୍ର ଯବତମାଳର ଡିଗରାସ ଅଞ୍ଚଳରୁ ଦୁଇଥର ବିଧାୟକ ହୋଇଛନ୍ତି । ସେ ପ୍ରଥମେ ଶିବସେନାରେ ଏବଂ ପରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱାଧୀନ ମିଳିତ ସରକାରରେ ମନ୍ତ୍ରୀ ଥିଲେ । ସେ ବିଗତ ଦିନରେ କିଛି ସମୟ ପାଇଁ ବିଜେପିରେ ମଧ୍ୟ ଥିଲେ ।

Related Posts