(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବନ କର୍ମଚାରୀ ତଦନ୍ତ କରିବା ପରିବର୍ତ୍ତେ ଡିଏଫଓଙ୍କ ଉପସ୍ଥିତ ରେ ଖୁସିରେ ମୃତ ଦନ୍ତା ହାତୀ ସହିତ ସେଲଫି ଫଟୋ ଉଠାଇବା ଘଟଣା ଏବେ ବିବାଦୀୟ ରୂପ ନେଇଛି। ହାତୀର ଗଳିତ ମୃତଦେହ ନିକଟରେ ଖମାର ରେଞ୍ଜ ର ବନ କର୍ମଚାରୀଙ୍କ ସେଲ୍ଫି ଉଠେଇବା ଭିଡ଼ିଓ ଓ ଫୋଟୋ କୁ ନେଇ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଓ ସଙ୍ଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାନ ବିଭାଗର ଅବହେଳା ଯୋଗୁଁ ବିଜୁଳି ସଂସ୍ପର୍ଶରେ ଆସି ହାତୀ ର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକେ କହୁଥିବାବେଳେ କେଉଁ ଖୁସିରେ ବନ ବିଭାଗ କର୍ମଚାରୀ ମାନେ ହାତୀ ର ମୃତଦେହ ପାଖରେ ଶେଲଫି ଫୋଟୋ ନେଉଛନ୍ତି ବୋଲି ବନ୍ୟଜନ୍ତୁ ସୁରକ୍ଷାକର୍ମୀ ମାନେ ପ୍ରଶ୍ନ ଉଠାଇଛନ୍ତି।
ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ଖବର ଶନିବାର ଦିନ ଜଣାପଡିଥିଲା। ହାତୀ ମରି ପଡ଼ିଥିବା ଖବର ମିଳିବା ପରେ ଡି ଏଫ୍ ଓ କ୍ଷମା ଷଡ଼ଙ୍ଗୀଙ୍କ ନେତୃତ୍ୱ ରେ ଏକ ଟିମ୍ ଘଟଣସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି ଯେ ଦନ୍ତାହାତୀ ର ବୟସ କୋଡିଏ ରୁ ପଚିଶ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି ।
ତେବେ ବାର୍ହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଇଥିବା ବାଇଡିଂ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇ ଥାଇପାରେ ବୋଲି ଦେବଗଡ଼ ଡି ଏଫ ଓ କ୍ଷମା ଷଡଙ୍ଗୀ ସୂଚନା ଦେଇଛନ୍ତି। ତେବେ ଦଶ ବ।ର ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀଟିର ଦୁଇଟି ଯାକ ଦାନ୍ତ ସୁରକ୍ଷିତ ରହିଛି। ଯେହେତୁ ମୃତ ହାତୀର ଦାନ୍ତ କାଢିନିଆଯାଇନାହିଁ ତେଣୁ ହାତୀକୁ ଶିକାରୀମାନେ ମାରିନାହାନ୍ତି ବୋଲି ଅନୁମାନ କରାଯାଉଛି। ଡିଏଫଓ ଙ୍କ ସମେତ ଖମାର ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିଭଳି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ଏବଂ ଏଥିରେ କାହାର ଦୋଷ ରହିଛି ଏସବୁର ତଦନ୍ତକରାଯାଉଛି ବୋଲି ଡି ଏଫ୍ ଓ କହିଛନ୍ତି। ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।