” ମା ‘ ଙ୍କ ବିଗ୍ରହ ଛୋଟ ହେବା ଅର୍ଥ ହେଉଛି ବିଘ୍ନ ” ; ମୂର୍ତ୍ତି ବିବାଦରେ ମୁଣ୍ଡ ପୁରେଇଲେ ମହତାବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପାର୍ବଣ କଟକଣା ଏବଂ ମା ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଏବେ କଟକ ରାଜନୀତି ସରଗରମ ହୋଇଛି। ରାଜ୍ୟ ସରକାର ପାର୍ବଣ ଗାଇଡଲାଇନରେ କୌଣସି ପ୍ରକାର ପରିବର୍ତ୍ତନ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଶାନ୍ତି କମିଟି ଏହାକୁ ତୀବ୍ର ବିରୋଧ କରିଛି। ଆଉ ଏଥିରେ ସ୍ବର ମିଶାଇଛନ୍ତି କଟକର ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି ଯେ, ମୂର୍ତ୍ତି ଛୋଟ ହେବାର ଅର୍ଥ ହେଉଛି ଏହା ଏକ ବିଘ୍ନ। ସେ କଟାକ୍ଷ କରି କହିଛନ୍ତି ଯେ, ମୂର୍ତ୍ତିକୁ ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ , ମୂର୍ତ୍ତିର ଉଚ୍ଚତା ଆଉ ଦୁଇ ଫୁଟ ବା ଅଢ଼େଇ ଫୁଟ ବଢାଇବା ଦ୍ବାରା କଣ କରୋନା ଡରି ପଳାଉଛି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି ? ଏପରିକି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯେ କେହି କୋର୍ଟ ଯାଇପାରନ୍ତି ବୋଲି ମଧ୍ୟ ସେ ମତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ ଗତ କାଲି ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକରେ ଓସିଏ କନ୍ଫରେନ୍ସ ହଲ୍‌ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏହି ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ହୋଇଥିଲା। ଶାନ୍ତି କମିଟି ବୈଠକରେ ମୂର୍ତ୍ତି ଉଚ୍ଚତାକୁ ନେଇ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କଟକର ସବୁଠାରୁ ଉଚ୍ଚ ମୂର୍ତ୍ତି ବିନୋଦ ବିହାରୀରେ ଯାହାର ଉଚ୍ଚତା ସାଢେ ୭ ଫୁଟ। ବିନୋଦ ବିହାରୀ ବ୍ୟତୀତ ଅନ୍ୟ ମଣ୍ଡପରେ ମୂର୍ତ୍ତି ଉଚ୍ଚତା ପ୍ରାୟ ୬ ଫୁଟ। ଆଉ ୨ ଫୁଟ ଅଢେଇ ଫୁଟ ବଢାଇଲେ କରୋନା କଣ ଡରି ପଳଉଛି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି? ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସେ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯେକେହି ବି କୋର୍ଟ ଯାଇପାରନ୍ତି ତାଙ୍କୁ ଅଟକାଇ ଯାଇ ପାରିବାନି। ସମୟ କମ୍ ଥିବା କାରଣରୁ ସରକାରଙ୍କ ନିକଟରେ ଯୁକ୍ତି ଉପସ୍ଥାପନର ପ୍ରସ୍ତାବ ରଖିଛନ୍ତି। ଗତକାଲି ବସିଥିବା ଏହି ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ନିବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୂର୍ତ୍ତି ଉଚ୍ଚତା ଓ ପରଦା କଟକଣା ହଟାଇବାକୁ ଆଉଥରେ ନିବେଦନ କରାଯିବ ବୋଲି ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Related Posts